ମଦ ପିଇବାକୁ ଟଙ୍କା ନ ଦେବାରୁ ଠେଙ୍ଗାରେ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା

ଝାରସୁଗୁଡ଼ା ଅଫିସ,୧୭।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଏମ୍‌ସିଏଲ୍‌ ରାମପୁର କଲୋନୀ ଏମ୍‌କ୍ୟୁ-୧୪ନମ୍ବର କ୍ବାଟରର୍ସରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ପିଇବା ପାଇଁ ଟଙ୍କା ନ ଦେବାରୁ ସ୍ବାମୀ ଠେଙ୍ଗାରେ ପିଟି ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି।

ମୃତକ ହେଲେ ପଙ୍କଜିନୀ ନାୟକ(୬୧)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତ ମହିଳାଙ୍କ ପୁଅ ପ୍ରକାଶଙ୍କ ଅଭିଯୋଗକୁ ଭିତ୍ତି କରି ବ୍ରଜରାଜନଗର ପୋଲିସ ଏକ ହତ୍ୟା ମାମଲା(ନଂ.୭୭/୨୨) ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

ପୋଲିସ ହତ୍ୟାକାରୀ ସ୍ବାମୀ ରମେଶ ନାୟକ(୬୨)ଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ପୋଲିସ ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗାକୁ ଜବତ କରିଛି ।

ଖବରପାଇ ଏସ୍‌ଡିପିଓ ଗୁପ୍ତେଶର ଭୋଇ, ଆଇଆଇସି ବୈକୁଣ୍ଠ ବିହାରୀ ସେଠ ଓ ରାମପୁର ଫାଣ୍ଡି ଅଧିକାରୀ ପ୍ରକାଶ ଦଳେଇ ପ୍ରମୁଖ ପୋଲିସ ଅଧିକାରୀ ସାଇଣ୍ଟିଫିକ ଦଳ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି, ମୃତ ମହିଳା ପଙ୍କଜିନୀ ଏମ୍‌ସିଏଲ୍‌ରେ ଚାକିରି କରି ୭ ମାସ ତଳେ ଅବସର ଗ୍ରହଣ କରିଥିଲେ। ଅବସର ପରେ ମିଳିଥିବା ଟଙ୍କାକୁ ନେଇ ସ୍ବାମୀ ମଦପିଇ ଘରେ ଝଗଡା କରୁଥିଲେ। ଏଭଳି ସ୍ଥିତିରେ ବୁଧବାର ରାତି ଘରେ ପୁଅ ନ ଥିବାବେଳେ ସ୍ବାମୀ ରମେଶ ମଦ ପିଇ ଘରକୁ ଆସିଥିଲେ। ପରେ ସେ ଟଙ୍କା ମାଗିଥିଲେ। ଏନେଇ ସ୍ବାମୀ-ସ୍ତ୍ରୀ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରମେଶ ଏକ ଠେଙ୍ଗାରେ ପଙ୍କଜିନୀଙ୍କୁ ପିଟି ହତ୍ୟା କରିଥିଲେ ।