Categories: ଜାତୀୟ

ଚାଲାଣ କାଟିବାରୁ ଟ୍ରାଫିକ୍‌ ପୋଲିସଙ୍କୁ ନିସ୍ତୁକ ପିଟିଲେ ମହିଳା: ଭିଡ଼ିଓ ଭାଇରାଲ

ମୁମ୍ବାଇ, ୨୫।୧୦: ଟ୍ରାଫିକ୍‌ ନିୟମ ନ ମାନୁଥିବା ଅମାନିଆଙ୍କୁ ସୁଧାରିବା ପାଇଁ ଚାଲାଣ କଟାଯାଇଥାଏ। ତେବେ ମୁମ୍ବାଇର ଏଲ୍‌ଟି ମାର୍ଗରେ ଟ୍ରାଫିକ୍‌ ନିୟନ୍ତ୍ରଣ କରୁଥିବା କନଷ୍ଟେବଳ ଏକନାଥ ପୋର୍ଟେଙ୍କୁ ଏଥିପାଇଁ ସଦାବିକା ରମାକାନ୍ତ ତିଓ୍ବାରୀ ନାମ୍ନୀ ଜଣେ ମହିଳା ନିସ୍ତୁକ ମାଡ଼ ମାରିଛନ୍ତି। ଏବେ ଏହାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କନଷ୍ଟେବଳ ଏକନାଥ ଆଇନ ମାନୁ ନ ଥିବା ସଦାବିକାଙ୍କ ବିରୋଧରେ ଚାଲାଣ କାଟୁଥିବା ବେଳେ ଉତ୍‌କ୍ଷୀପ୍ତ ହୋଇ ଉଠିଥିଲେ। ସେ ଏକନାଥଙ୍କ କଲର ଧରି ଚଟକଣି ମାରିବା ସହିତ ଟଣାଓଟରା କରିଥିଲେ। ଖବର ପାଇ ଟ୍ରାଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ସଦାବିକାଙ୍କୁ ଗିରଫ କରିଛନ୍ତି। ସଦାବିକା ଏକନାଥଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି। ତେବେ ଏହାକୁ ଟ୍ରାଫିକ୍‌ ବିଭାଗ ପକ୍ଷରୁ ଖଣ୍ଡନ କରାଯାଇଛି। ଏନେଇ ଡିିସିପି ଏସ୍‌. ଚୈତନ୍ୟା କହିଛନ୍ତି ଯେ, ଏକନାଥ ସମ୍ପୃକ୍ତ ମହିଳାଙ୍କୁ ମ୍ୟାଡାମ୍‌ ସମ୍ବୋଧନ କରୁଥିବାବେଳେ ମହିଳା ଜଣକ ରାସ୍ତାରେ ତାଙ୍କୁ ପିଟିଥିଲେ। ମହିଳାଙ୍କୁ କୌଣସି ଦୁର୍ବ୍ୟବହାର କରାଯାଇ ନାହିଁ। ସେ ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିବାବେଳେ ଧରାପଡ଼ିଥିଲେ ବୋଲି ଚୈତନ୍ୟା କହିଛନ୍ତି। ଏବେ ୪୫ ସେକେଣ୍ଡର ଏହି ଭିଡ଼ିଓକୁ ମୁସ୍ତଫା ଶେଖ୍‌ ନାମକ ଜଣେ ୟୁଜର ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଅପ୍‌ଲୋଡ୍‌ କରିଛନ୍ତି। ଏହାକୁ ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି।

Share