ମହାକାଳପଡ଼ା,୧୧ା୬ (ଡି.ଏନ.ଏ.): ମଦକୁ ନା। ସ୍ବାମୀମାନେ ମଦ୍ୟପାନ କରି ପରିବାରରେ ଅଶାନ୍ତି ସୃଷ୍ଟି କରୁଛନ୍ତି ବୋଲି ବହୁ ମହିଳା ଅଭିଯୋଗ କରିଛନ୍ତି। ଦୈନିକ ମଜୁରି ଲାଗି ଆଣୁଥିବା ଟଙ୍କାରେ ସ୍ବାମୀ ମଦ୍ୟ ପାନ କରି ସ୍ତ୍ରୀ, ପିଲା ଛୁଆଙ୍କୁ ବାଡିଆପିଟା କରୁଥିବା ନଜରକୁ ଆସିଛି। ଫଳରେ ପାରିବାରିକ ଜୀବନରେ ବିଶୃଙ୍ଖଳା ସୃଷ୍ଟି ହେଉଛି। ଏହାକୁ ନେଇ ମହିଳା ମହାସଂଘ ପକ୍ଷରୁ ଚାଲିଥିବା ବେଆଇନ ମଦ ବିକ୍ରି ଓ ଭାଟିକୁ ମହିଳାମାନେ ମିଳିତ ହୋଇ ହାତରେ ଲାଠି ଧରି ଶୁକ୍ରବାର ଭଙ୍ଗାରୁଜା କରିଛନ୍ତି। ଏଭଳି ଦେଖିବାକୁ ମଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ଗାଁରେ।
ଜମ୍ବୁ ପଞ୍ଚାୟତର ମହିଳା ମହାସଂଘ ସଦସ୍ୟାମାନେ ପୂର୍ବାହ୍ନରେ ବେଆଇନ ଦେଶୀ ମଦ ଖୁଲମ୍ଖୁଲା ବିକ୍ରିକୁ ବିରୋଧ କରିବା ସହ ୨୦ରୁ ଅଧିକ ମଦ ଭାଟିକୁ ଭଙ୍ଗାରୁଜା କରି ମଦ ଜାରକିନ ବାହାରକୁ ଆଣି ଭାଙ୍ଗିଥିଲେ। ଅପରପକ୍ଷରେ ଜମ୍ବୁ ଦୈନିକ ବଜାରରେ ଟନ୍ ଟନ୍ ଗୁଡ଼ ବିକ୍ରିକୁ ମହିଳାମାନେ ବିରୋଧ କରିବା ସହ ଦୋକାନୀଙ୍କୁ ତାଗିଦ୍ କରିଛନ୍ତି। ସୂଚନାଯୋଗ୍ୟ ଗୁଡ଼ ପୋଚରୁ ଦେଶୀ ମଦ (ଜଳା) ପ୍ରସ୍ତୁତ ହୋଇଥାଏ। ଜିଲା ଅବକାରୀ ବିଭାଗ ଓ ଜମ୍ବୁ ସାମୁଦ୍ରିକ ଥାନା ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଦେଶୀ ମଦକୁ ବିରୋଧ କରି ମହିଳା ମହାସଂଘ ଅଭିଯାନରେ ସମ୍ପାଦିକା ନୀଳିମା ମଣ୍ଡଳ, ଶକୁନ୍ତଳା ମଣ୍ଡଳ, ସିପାଲୀ ମଣ୍ଡଳ, ଶେଫାଳୀ ବେରା, ଶେଫାଳୀ ମଣ୍ଡଳ, ସୁବର୍ଣ୍ଣ ହାଲଦାର୍, ସା କଳା, କାଞ୍ଚନ ଲାୟା, ସାରଥି ପରିମାଣିକ, ଲକ୍ଷ୍ମୀ ମଣ୍ଡଳ, ତପତି ମାନ୍ନା, ନମିତା କଳା, ମାନସୀ ଦାସ, କଳ୍ପନା କଳା, ଆରତୀ ମଣ୍ଡଳ, ମଲ୍ଲିକା ମିର୍ଦ୍ଧାଙ୍କ ସମେତ ୫୦ରୁ ଅଧିକ ମହିଳା ସାମିଲ ହୋଇଥିଲେ।