ଦିଗପହଣ୍ଡି,୧୧ା୩(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ହତ୍ୟା ଉଦ୍ୟମ ମାମଲାରେ ସମ୍ପୃକ୍ତ ଥିବା ମହୁଡ଼ା ନିକଟ ବରପଲ୍ଲି ଗାଁର କୃଷ୍ଣ ନାୟକଙ୍କୁ ମାମଲା ନଂ.୧୦୮/୨୨ ଅନୁଯାୟୀ ବ୍ରହ୍ମପୁର ସଦର କୋର୍ଟକୁ ଚାଲାଣ କରିଛି। ଜାମିନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲକୁ ପଠାଯାଇଛି। ଗତ ଗୁରୁବାର ସକାଳ ପ୍ରାୟ ୯ ଟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅଭିଯୁକ୍ତ କୃଷ୍ଣ ନାୟକ ବରପଲ୍ଲି ଗାଁର ଯମୁନା ନାୟକ ନାମ୍ନୀ ଜଣେ ମହିଳାଙ୍କୁ ଏକ କାତିରେ ଅତର୍କିତ ଆକ୍ରମଣ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ନେଇ ଯମୁନାଙ୍କ ସ୍ବାମୀ ବନମାଳି ନାୟକ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ବସନ୍ତ କୁମାର ସେଠୀ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।