କିମ୍ବଦନ୍ତୀ ଫୁଟବଲ୍‌ ଖେଳାଳୀ ‘ପେଲେ’ଙ୍କ କବରରୁ ବାହାରିବ ମୃତଦେହ, ଝିଅ ଆଣିଲେ ସଙ୍ଗୀନ ଅଭିଯୋଗ, ଏହି ରହସ୍ୟର ହେବ ପର୍ଦ୍ଦାଫାଶ

ସାଓପାଓଲୋ,୨୭।୧: ବ୍ରାଜିଲିଆନ୍‌ କିମ୍ବଦନ୍ତୀ ଫୁଟବଲ୍‌ ଖେଳାଳୀ ପେଲେ ୨୦୨୨ ଡିସେମ୍ବର ୩୦ରେ ମୃତ୍ୟୁବରଣ କରିଥିଲେ। ୮୨ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇ ଆରପାରିକୁ ଚାଲିଯାଇଥିଲେ। ହେଲେ ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବିବାଦ ଭିତରକୁ ଠେଲି ହୋଇଯାଇଛି। ଏହି ବିବାଦ ଭିତରେ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି। ନିକଟରେ ଜଣେ ମହିଳା ପେଲେଙ୍କ ଝିଅ ବୋଲି ଦାବି କରିଛନ୍ତି। ବର୍ତ୍ତମାନ ସେ କବରରୁ ପେଲେଙ୍କର ମୃତଦେହ ବାହାର କରିବାକୁ ଦାବି କରିଛନ୍ତି।

ସୂଚନାଥାଉ କି, ପେଲେ ୩ଥର ବିବାହ କରିଥିଲେ। ତାଙ୍କର ୭ଟି ସନ୍ତାନ ଅଛନ୍ତି। ଅଭିଯୋଗ ଆଣିଥିବା ମହିଳାଜଣକ ତାଙ୍କ ଧରମ ଝିଅ ବୋଲି କୁହାଯାଉଛିି। ତାଙ୍କ ନିଜର ଦୁଇ ସନ୍ତାନ ଏଡିହ୍ନୋ ନ୍ୟାସିମେଣ୍ଟୋ ଓ ପ୍ଲାବିଆ କ୍ରିଷ୍ଟ୍ରିନା ପେଲେଙ୍କର ଓ୍ବିଲ ପଢିବା ପରେ ହିଁ ଡିଏନଏ ଟେଷ୍ଟ କରିବା ପାଇଁ ରାଜି ହୋଇଥିଲେ।

ବର୍ତ୍ତମାନ ଅଭିଯୋଗ ଆଣିଥିବା ମହିଳା ମ୍ୟାରିଆ ଡୋ ସୋକୋରା ନିଜ ଓକିଲଙ୍କୁ ଦେଇଥିବା ଦଲିଲ୍‌ ଅନୁସାରେ ଦର୍ଶାଇଛନ୍ତି ଯେ, କରାଯାଇଥିବା ଡିଏନଏ ଟେଷ୍ଟରେ ସେ ପେଲେଙ୍କର ଝିଅ ବୋଲି ଜଣାପଡିଛି। ଏବେ ତଥ୍ୟକୁ ପ୍ରମାଣ ପାଇଁ ପେଲେଙ୍କର ମୃତଦେହକୁ କବରରୁ ବାହାର କରିବାକୁ ପଡିବ ବୋଲି ସେ କହିଛନ୍ତି।

ଉତ୍ତର-ପୂର୍ବ ବ୍ରାଜିଲର ପିୟାଓଇ ରାଜ୍ୟରେ ବସବାସ କରୁଥିବା ମ୍ୟାରିଆ ୨୦୧୯ରେ ଡିଏନଏ ଟେଷ୍ଟ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସେ ସେତେବେଳେ ଚାକରାଣୀ ଭାବରେ କାମ କରୁଥିଲେ।

ପେଲେ ନିଜ ସମ୍ପତ୍ତିର ୩୦ଭାଗ ନିଜ ବିଧବା ଓ ତୃତୀୟ ସ୍ତ୍ରୀ ମ୍ୟାରିକା ଆଓକି, ୬୦ଭାଗ ନିଜ ସନ୍ତାନ ଓ ୧୦ଭାଗ ନିଜ ନାତି ନାତୁଣୀଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ। ମୃତ୍ୟୁ ସମୟରେ ତାଙ୍କର ମୋଟ୍‌ ସମ୍ପତ୍ତି ୭୮ମିଲିୟନ(୮.୨୫ ଅରବ)ଥିଲା। ଯଦି ମ୍ୟାରିଆ ତାଙ୍କର ୮ମ ସନ୍ତାନ ବୋଲି ପ୍ରମାଣିତ ହୋଇଯାଏ ତେବେ ସମ୍ପତ୍ତିରୁ କିଛି ଅଂଶ ଦାବି କରିପାରନ୍ତି ବୋଲି ଅନୁମାନ କରାଯାଉଛି।

ଅନ୍ୟପକ୍ଷରେ ପେଲେଙ୍କ ପରବାରର ଓକିଲ ଏନେଇ କହିଛନ୍ତି, ଏହି ଆଧାରରେ ପେଲେଙ୍କର କବର ଖୋଳାହେବା ନେଇ ତାଙ୍କ ପରିବାର ବିରୋଧ କରିପାରନ୍ତି। କାରଣ ମାରିଆଙ୍କର ପ୍ରଥମ ଡିଏନଏ ଟେଷ୍ଟରେ ସେ ପେଲେଙ୍କର ଝିଅ ନୁହନ୍ତି ବୋଲି ପ୍ରମାଣିତ ହୋଇସାରିଛି।

Share