ଚୁଟି କାଟିଲେ, ହିଜାବ ଜାଳିଲେ ମହିଳା

ତେହରାନ୍‌,୨୦ା୯: ହିଜାବ ନ ପିନ୍ଧିବାରୁ ମୁସ୍‌ଲିମ୍‌ ଦେଶ ଇରାନର ୨୨ ବର୍ଷୀୟା ଯୁବତୀ ମାହ୍‌ସା ଆମିନିଙ୍କ ମୃତ୍ୟୁ ଘଟଣାରେ ଆନ୍ଦୋଳନ ତୀବ୍ର ହୋଇଛି। ଶତାଧିକ ମହିଳା ରାସ୍ତାକୁ ଓହ୍ଲାଇ ଆମିନଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି। ଏପରିକି ଆନ୍ଦୋଳନକାରୀ ସେମାନଙ୍କ ଚୁଟି କାଟିବା ସହ ସର୍ବସମ୍ମୁଖରେ ହିଜାବକୁ ଜାଳିଛନ୍ତି। କୌଣସି ମୁସ୍‌ଲିମ ଦେଶରେ ଏପରି ହିଜାବକୁ ଜାଳିବା ଘଟଣା ବିରଳ। ଏପରି କରି ମୁସ୍‌ଲିମ ମହିଳାଙ୍କ ଉପରେ ହେଉଥିବା ଦମନ ଲୀଳାକୁ ସେମାନେ ସାମ୍‌ନାକୁ ଆଣିଛନ୍ତି।
ଆଇନରେ ମହିଳାମାନେ ସର୍ବସାଧାରଣ ସ୍ଥାନରେ ହିଜାବ ପିନ୍ଧିବା ବାଧ୍ୟତାମୂଳକ। ଉକ୍ତ ଆଇନକୁ କାର୍ଯ୍ୟକାରୀ କରୁଥିବା ପୋଲିସ ଗତ ମଙ୍ଗଳବାର ତେହରାନରେ ମାହସା ଅମିନିଙ୍କୁ ଗିରଫ କରିଥିଲା। ତାଙ୍କୁ ବଳପୂର୍ବକ ଗାଡ଼ିରେ ବସାଇ ନିଆଯାଉଥିବାର ଭିଡିଓ ସାମ୍‌ନାକୁ ଆସିଥିଲା। ଏହା ପରେ ସେ କୋମାକୁ ଚାଲିଯାଇଥିଲେ। ପୋଲିସ ହେପାଜତରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଇରାନ୍‌ରେ ଆନ୍ଦୋଳନ ମୁଣ୍ଡ ଟେକିଛି। ମହିଳାମାନେ ସରକାର ବିରୋଧୀ ନାରା ଦେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆନ୍ଦୋଳନକାରୀଙ୍କୁ ରୋକିବା ଲାଗି ସୋମନଙ୍କ ଉପରେ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରାଯାଉଛି। ଏହାର ଭିଡିଓ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହେବାରେ ଲାଗିଛି

Share