ସ୍ତ୍ରୀଙ୍କ ମୁଣ୍ଡକୁ ପଥରରେ ଛେଚି ଦେଲେ

ଝାରସୁଗୁଡ଼ା ଅଫିସ,୪ା୧୦: ଝାରସୁଗୁଡ଼ା ଜିଲା କୋଲାବିରା ଥାନା ଗୁଚ୍ଛାପାଲି ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜଣେ ଯୁବକ ତାଙ୍କର ସ୍ତ୍ରୀଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଛନ୍ତି। ମୃତ ମହିଳା ହେଲେ ସୁନିତା ବେହେରା (୨୩)। ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିଛି। ମଙ୍ଗଳବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ତଦନ୍ତକାରୀ ଆଇଆଇସି ସୁକୁମାର ତ୍ରିପାଠୀ କହିଛନ୍ତି। ସୁନିତାଙ୍କ ବାପା ଜୀବର୍ଦ୍ଧନ ବେହେରାଙ୍କ ଅଭିଯୋଗକୁ ଭତ୍ତି କରି କୋଲାବିରା ଥାନା ପୋଲିସ ଦଫା ୩୦୨ରେ ଏକ ହତ୍ୟା ମାମଲା (ନଂ.୧୪୩/୨୧) ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ପୋଲିସ ହତ୍ୟାକାରୀ ସ୍ବାମୀ ରମେଶ ଡନସନା(୨୭)ଙ୍କୁ ଗିରଫ କରିଛି।

୩ ବର୍ଷ ତଳେ ସମ୍ବଲପୁର ଜିଲା ସିନ୍ଦୂରପଙ୍କ ଥାନା ଦଣ୍ଡେଇପାଲି ଗ୍ରାମର ଜୀବର୍ଦ୍ଧନ ବେହେରାଙ୍କ ଝିଅ ସୁନିତାଙ୍କ ସହିତ ଗୁଚ୍ଛାପାଲି ଗ୍ରାମର ରମେଶଙ୍କ ବିବାହ ହୋଇଥିଲା। ବିବାହ ସମୟରେ ସୁନିତାଙ୍କ ଶ୍ୱଶୁର ଘର ଲୋକେ ଏକ ବାଇକ୍‌ ଯୌତୁକ ଦାବି କରିଥିଲେ। ହେଲେ ଝିଅଙ୍କ ବାପା ଏଥିପାଇଁ ଅକ୍ଷମତା ପ୍ରକାଶ କରିଥିଲେ। ଏଥିରେ ପୁଅଘର ଲୋକେ ସହମତି ପ୍ରକାଶ କରି ବିବାହ କରିଥିଲେ। ପରେ ରମେଶ ବାଇକ୍‌ ଦାବି କରି ସ୍ତ୍ରୀ ସୁନିତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏପରି କି ଅଧିକାଂଶ ସମୟରେ ନିଶା ଅବସ୍ଥାରେ ରହି ସ୍ତ୍ରୀଙ୍କ ସହିତ ଝଗଡା କରୁଥିଲେ। ସୋମବାର ରମେଶ ସ୍ତ୍ରୀଙ୍କୁ ପଥରରେ ମୁଣ୍ଡକୁ ବାରମ୍ବାର ଆଘାତ କରି ହତ୍ୟା କରିଥିଲେ। ଏ ସମ୍ପର୍କରେ ଗ୍ରାମବାସୀ ଜାଣିବା ପରେ ରମେଶଙ୍କୁ କାବୁକରି ପୋଲିସକୁ ଜଣାଇଥିଲେ। ହେଲେ ତାଙ୍କର କୌଣସି ସନ୍ତାନ ନ ଥିବା ଜଣାପଡିଛି।