Advertisement
Categories: ଗଞ୍ଜାମ

ଟାଙ୍କିଲିପଦର ଗ୍ରାମ ମୁଖ୍ୟ ରାସ୍ତାରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ପରିଚୟ ଖୋଜୁଛି ପୋଲିସ

ଚନ୍ଦ୍ରଗିରି,୧୮।୫(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ପୋଲିସ ଫାଣ୍ଡି ଅଧୀନ ଟାଙ୍କିଲିପଦର ଗ୍ରାମ ମୁଖ୍ୟ ରାସ୍ତାରୁ ଶୁକ୍ରବାର ମଧ୍ୟରାତ୍ରରେ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବା ଦେଖିବାକୁ ମିଳିଛି। ଚନ୍ଦ୍ରଗିରି ପୋଲିସ ମୃତଦେହକୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖିବା ସହ ମହିଳାଙ୍କର ପରିଚୟ ଖୋଜିବାକୁ ପ୍ରୟାସ କରୁଥିବା ସୂଚନା ମିଳିଛି।
ସୂଚନାନୁଯାୟୀ, ଉକ୍ତ ରାସ୍ତାରେ ମହିଳାଙ୍କ ମୃତଦେହ ପଡ଼ିଥିବା ନେଇ ପୋଲିସକୁ ଖବର ମିଳିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହାପ୍ରୟାଣ ଗାଡ଼ିରେ ମୃତଦେହକୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା। ପାରିପାଶ୍ୱିକ ସ୍ଥିତିକୁ ଦେଖି କୌଣସି ଅଜଣାଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଯିବା ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।
ପ୍ରକାଶଯୋଗ୍ୟ, ଉକ୍ତ ଅଞ୍ଚଳରେ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ଘଟଣା ନୂଆ ନୁହେଁ। ଏହାକୁ ମିଶାଇ ତିନି ଜଣଙ୍କ ମୃତ୍ୟୁ ଘଟି ସାରିଛି। ଏଣୁ ଉକ୍ତ ଅଞ୍ଚଳରେ ପୋଲିସ ପାଟ୍ରୋଲିଂ କଡ଼ାକଡ଼ି କରାଯାଉ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel