Advertisement

ମଦ ଦୋକାନ ସ୍ଥାନାନ୍ତର ଦାବିକଲେ ମହିଳା

ରାୟଗଡ଼ା,୭।୪ (ଭାଗ୍ୟଶ୍ରୀ ମିଶ୍ର)- ରାୟଗଡ଼ା ସହରର ନ୍ୟୁକୋଲୋନୀଠାରେ ଥିବା ୨ଟି ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ପାଇଁ ଦାବିକରି ଉକ୍ତ ଅଞ୍ଚଳର ମହିଳାମାନେ ସୋମବାର ଜିଲାପାଳ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି । ତୁରନ୍ତ ଜନବସତି ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଜିଲାପାଳ ପାରୁଲ ପଟାୱରିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଉକ୍ତ ସମସ୍ୟା ସମାଧାନ ପାଇଁ ଜିଲାପାଳ ପଟଓ୍ବାରି ଅବକାରୀ ଅଧିକ୍ଷକ ସନ୍ତୋଷ ଧଳସାମନ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ଜନବସତି ଅଞ୍ଚଳରେ ଅନେକ ବିଦ୍ୟାଳୟ ଓ ମନ୍ଦିର ରହିଛି। ତେବେ ଏହି ଅଞ୍ଚଳରେ ଥିବା ୨ ମଦ ଦୋକାନ ସକାଳ ୮ରୁ ଖୋଲା ହୋଇ ରାତି ୧୧ଟାରେ ବନ୍ଦ ହେଉଥିବାରୁ ଲୋକଙ୍କ ଯାତାୟାତ ବେଳେ ସମସ୍ୟା ସୃଷ୍ଟି ହେଉଛି। ଅନେକ ଅସାମାଜିକ ଲୋକ ରାଜରାସ୍ତା ଉପରେ ମଦ୍ୟପାନ କରି ବିଭିନ୍ନ ବିଶୃଙ୍ଖଳା ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି। ନିଶାସକ୍ତ ଅବସ୍ଥାରେ ସର୍ବଦା ଗଣ୍ଡଗୋଳ ମଧ୍ୟ ଘଟୁଛି। ଯାହାର କୁପ୍ରଭାବ ପିଲାଙ୍କ ଉପରେ ପଡୁଛି। ଏଭଳିକି ଲଗାତାର ଦୁଇଟି ଲୁଟ ମଧ୍ୟ ନିୟୁ କଲୋନୀ ରାସ୍ତାରେ ଘଟିଲାଣି। ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ପାଇଁ ପୂର୍ବରୁ ଅନେକ ଥର ଅବକାରୀ ବିଭାଗ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହେଉଛି। ତେଣୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ମହିଳାମାନେ ଦାବି କରିଛନ୍ତି। ଜିଲାପାଳଙ୍କୁ ଦାବିପତ୍ର ଦେବା ସମୟରେ ବିଜୟଲକ୍ଷ୍ମୀ ସାହୁ, ପ୍ରତିଭା ମିଶ୍ର, କେ. ଦିବ୍ୟଶ୍ରୀ, ଗୌରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share