ଷ୍ଟେଶନ ପ୍ଲାଟଫର୍ମରେ ପଡ଼ି ମହିଳା ମୃତ

ପୁରୀ ଅଫିସ,୯ା୧: ପୁରୀ ରେଲଓ୍ବେ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଷ୍ଟେଶନର ୬ନଂ. ପ୍ଲାଟଫର୍ମରେ ଠେଲାପେଲାରେ ତଳେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତା ହେଲେ ପୁରୀ ଜିଲା ଡେଲାଙ୍ଗ ଥାନା ଅଞ୍ଚଳର କୁନିମଣି ନାୟକ। ଏ ନେଇ ରେଲଓ୍ବେ ପୋଲିସ ପକ୍ଷରୁ ଏକ ମାମଲା (ନଂ.୩/୨୩) ରୁଜୁ କରି ତଦନ୍ତ ଚଳାଇଛି। ଜିଆର୍‌ପି ଥାନା ପୋଲିସ ଅଧିକାରୀ ସନ୍ତୋଷ ବାହାନୀପତି ଏବଂ ଆର୍‌ପିଏଫ୍‌ ଥାନା ଅଧିକାରୀ ଅପରେଶ ବେହେରାଙ୍କ ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ପ୍ରାୟ ୭ଟା ୫ମିନିଟ ସମୟରେ କୁନିମଣି ପୁରୀ-ଦୁର୍ଗ ଟ୍ରେନ୍‌ ଯୋଗେ ତାଙ୍କ ଝିଅ ଘର ସମ୍ବଲପୁରକୁ ଯିବା ପାଇଁ ପ୍ଲାଟଫର୍ମ ନଂ.୬ରେ ଥିବା ଟ୍ରେନକୁ ତାଙ୍କ ସାନ ଝିଅ ଓ ପରିବାର ଲୋକଙ୍କ ସହ ଯାଉଥିଲେ। ତେବେ ରବିବାର ଥିବାରୁ ରେଲଓ୍ବେ ଷ୍ଟେଶନରେ ଲୋକଙ୍କ ପ୍ରବଳ ଗହଳି ରହିଥିଲା। ଫଳରେ ଲୋକଙ୍କ ମଧ୍ୟରେ ଠେଲାପେଲାରେ କୁନିମଣି ଟ୍ରେନ ପାଖକୁ ଯିବାବେଳେ ହଠାତ୍‌ ତଳେ ପଡିଯାଇ ଅଚେତ ହୋଇଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ପୁରୀ ଜିଲା ସଦର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ରେଲଓ୍ବେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ରେଲଓ୍ବେ ଅଧିକାରୀ ସୂଚନା ଦେଇଛନ୍ତି।

Share