
କୋକସରା,୨ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆମପାଣିରୁ ଧର୍ମଗଡ଼କୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେର ଆମପାଣି ଥାନା ଭୁର୍ଷାଗୁଡାରୁ କୁଳେରଗୁଡା ରାସ୍ତା ମଝିରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ବାମୀ ଓ ପୁଅ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ମୃତକ ହେଲେ ସ୍ଥାନୀୟ ଡୁଡୁକାଠେଙ୍ଗା ପଞ୍ଚାୟତ ଧୋବେନ ଚଞ୍ଚରା ଗ୍ରାମର ଗୋମତି ଦୁର୍ଗା(୩୫)। ଦୁର୍ଘଟଣାରେ ତାଙ୍କ ସ୍ବାମୀ ଶଶୀଧର ଦୁର୍ଗା(୪୫) ଏବଂ ୮ବର୍ଷର ପୁଅ କିରଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଜିଲା ମୁଖ୍ୟ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି ।
ମଳିଥିବା ସୂଚନା ମୁତାବକ, ଶଶୀଧର ତାଙ୍କ ସ୍ତ୍ରୀ ଏବଂ ପୁଅଙ୍କୁ ଧରି ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଏକ ବାଇକ୍(ନଂ.ଓଡି ୦୮ ଏଚ ୯୬୭୮)ରେ ଯାଉଥିଳେ। ହେଲେ କୁଳେରଗୁଡା-ଘଣ୍ଟିଗୁଡା ରାସ୍ତା ମଝିରେ ଏକ ଅଟୋ ଭାରସାମ୍ୟ ହରାଇ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ସେମାନେ ଭାରସାମ୍ୟ ହରାଇ ରାସ୍ତାରେ ଛିଟିକି ପଡିଥିଲେ। ଦୁର୍ଘଟଣାରେ ଗୋମତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇବା ପରେ ଅଟୋକୁ ନେଇ ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।
ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଅନ୍ୟପକ୍ଷେ ଦୁର୍ଘଟଣାସ୍ଥଳରେ ମୃତକଙ୍କ ପରିଜନ ଓ ସ୍ଥାନୀୟ ଲୋକେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡିକୁ ଠାବ କରିବା ସହ କ୍ଷତିପୂରଣ ଦାବି କରି ରାସ୍ତା ଅବରୋଧ କରିଥିଲେ। ଖବର ପାଇ କୋକସରା ତହସିଲଦାର କ୍ଷୀରୋଧ ବିହାରୀ ଭାରତ ନାଗ, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିଜନଙ୍କ ସହ ଆଲୋଚନା କରିଥିଲେ।
ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ଦେବାକୁ ଅଧିକାରୀମାନେ ପ୍ରତିଶ୍ରୁତି ଦେବା ସହ ରେଡ଼କ୍ରସରୁ ୧୦ ହଜାର ଟଙ୍କା ପ୍ରଦାନ କରିବା ପରେ ମୃତଦେହ ଉଠିବା ସହ ରାସ୍ତା ଅବରୋଧ ହଟିଥିଲା।
ପୋଲିସ କୋକସରା ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଆମପାଣି ଥାନାରେ ଏକ ମାମଲା(ନଂ.୧୨/୨୫)ରୁଜୁ ହୋଇଥିବା ତଦନ୍ତକାରୀ ପୋଲିସ ସବ୍ଇନ୍ସପେକ୍ଟର ଈଶ୍ୱର ଚନ୍ଦ୍ର ସିର୍କା ସୂଚନା ଦେଇଛନ୍ତି। ମୃତକ ପରିବାରକୁ ପଞ୍ଚାୟତ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ଦିଆଯିବ ବୋଲି ସ୍ଥାନୀୟ ସରପଞ୍ଚ ହରିପ୍ରିୟା ନାଗ କହିଛନ୍ତି।