ଭାଇର ଆଖି ଲୁହରେ ଭିଜିଲା ରାଖୀ

ଭବାନୀପାଟଣା,୧୧।୮(ସ୍ବ.ପ୍ର.): ରାଖୀ ପୂର୍ଣ୍ଣିମା ଅବସରରେ ଚାରିଆଡେ ହର୍ସଉଲ୍ଲାସ ରହିଥିବା ବେଳେ କଳାହାଣ୍ଡି ଜିଲା ଭବାନୀପାଟଣାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଗୁରୁବାର ଭାଇଙ୍କୁ ରାଖୀ ବାନ୍ଧି ଫେରୁଥିବା ବେଳେ ସହରର ଘୋଡାଘାଟ ଛକ ନିକଟରେ ଏକ ଟ୍ରକ୍‌ ଧକ୍କାରେ ଭଉଣୀର ମୃତ୍ୟୁ ଘଟିଛି। ମୃତ ଭଉଣୀ ଜଣକ ହେଲେ ଥୁଆମୂଳ ରାମପୁର ବ୍ଲକ ଲିଟିମସ୍କା ଗ୍ରାମର ରଚନା ମାଝୀ।

ଅପରାହ୍ନରେ ଭବାନୀପାଟଣା ବିବିସିପଡାରେ ରହୁଥିବା ଭାଇ ଡମ୍ବରୁଧର ମାଝିଙ୍କୁ ରାଖୀ ବାନ୍ଧି ସ୍ବାମୀଙ୍କ ସହିତ ବାଇକ୍‌ରେ ଫେରୁଥିଲେ ରଚନା। ହେଲେ ଘୋଡାଘାଟ ଛକ ନିକଟରେ ଏକ ଟ୍ରକ୍‌ ସହିତ ତାଙ୍କ ବାଇକ୍‌ ଧକ୍କା ହୋଇଥିଲା। ଫଳରେ ରାସ୍ତାରେ ଛିଟିକି ପଡି ରଚନା ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳଳୟକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକ ଫେରାର ଥିବା ଜଣାପଡିଛି। ଅନ୍ୟପକ୍ଷେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Share