Categories: ଜାତୀୟ

ଚିକିତ୍ସା ବେଳେ ମହିଳା ଡାକ୍ତରଙ୍କୁ ହତ୍ୟା

କୋଲାମ/ଥିରୁଭାନନ୍ଥପୁରମ୍‌, ୧୧ା୫: କେରଳ କୋଲାମ ଜିଲାର ଏକ ହସ୍ପିଟାଲରେ ବୁଧବାର ଜଣେ ରୋଗୀ ୨୩ ବର୍ଷୀୟା ମହିଳା ଡାକ୍ତରଙ୍କୁ ଛୁରିଭୁସି ହତ୍ୟା କରିଛନ୍ତି। ଅଭିଯୁକ୍ତ ସନ୍ଦିପ୍‌ ତାଙ୍କ ପରିବାର ସଦସ୍ୟଙ୍କ ସହ ମାଡ଼ପିଟ୍‌ କରି ଆହତ ହୋଇଥିଲେ। ମହିଳା ଡାକ୍ତର ବନ୍ଦନା ଦାସ ତାଙ୍କ ଗୋଡ଼କୁ ଡ୍ରେସିଂ କରୁଥିଲେ। ଏହି ସମୟରେ ସନ୍ଦିପ୍‌ ଉତ୍‌କ୍ଷିପ୍ତ ହୋଇ ଡାକ୍ତରଙ୍କ ସମେତ ସେଠାରେ ଥିବା ଲୋକଙ୍କୁ କଇଞ୍ଚତ୍ ଓ ଛୁରିରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଗୁରୁତର ଆହତ ଡା. ଦାସଙ୍କର କିଛି ସମୟ ପରେ ମୃତ୍ୟୁ ଘଟିଥିଲା। ସନ୍ଦିପଙ୍‌କ ସହ ଥିବା ପୋଲିସ କର୍ମଚାରୀ ମଧ୍ୟ ଆକ୍ରମଣରେ ଆହତ ହୋଇଛନ୍ତି। ଜଣେ ଯୁବ ଡାକ୍ତରଙ୍କୁ ହତ୍ୟା ଘଟଣାରେ କେରଳ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପୋଲିସ ଓ ସରକାରଙ୍କ ବିଫଳତାରୁ ଏଭଳି ହତ୍ୟାକାଣ୍ଡ ଘଟିଲା। ଡାକ୍ତରଙ୍କୁ ସୁରକ୍ଷା ଦେବାରେ ସରକାର ଓ ପୋଲିସ ବିଫଳ ହୋଇଥିବାରୁ ହାଇକୋର୍ଟ ଭର୍ତ୍ସନା କରିଛନ୍ତି।

ଡାକ୍ତରଙ୍କ ମୃତ୍ୟୁ ଘଟଣାରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଦୁଃଖପ୍ରକାଶ କରିଛନ୍ତି। ଏହା ଅତ୍ୟନ୍ତ ଦୁଃଖଦ ଓ ଯନ୍ତ୍ରଣାଦାୟକ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡ୍ୟୁଟିରେ ଥିବା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଆକ୍ରମଣ ଆଦୌ ଗ୍ରହଣୀୟ ନୁହେଁ। ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପରେ ଆକ୍ରମଣ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବିଜୟନ କହିଛନ୍ତି। ଡାକ୍ତର ହତ୍ୟା ପ୍ରତିବାଦରେ ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ ଏବଂ କେରଳ ସରକାରୀ ମେଡିକାଲ ଅଫିସର ଆସୋସିଏଶନର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେରଳ ରାଜ୍ୟ ମାନବାଧିକାର କମିଶନ ଘଟଣାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରି କୋଲାମ ଜିଲା ପୋଲିସ ମୁଖ୍ୟଙ୍କଠାରୁ ୭ ଦିନ ମଧ୍ୟରେ ରିପୋର୍ଟ ତଲବ କରିଛି। ଡାକ୍ତର ଜଣକ ହାଉସ ସର୍ଜନ ହୋଇଥିବାରୁ ଅନଭିଜ୍ଞ ଥିଲେ ଏବଂ ଆକ୍ରମଣ ସମୟରେ ଡରିଯାଇଥିଲେ ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିବା ପରେ ଏହାକୁ ନେଇ ରାଜନୈତିକ ବିବାଦ ଦେଖାଦେଇଛି। ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଏଭଳି ବିବୃତିକୁ ରାଜ୍ୟ କଂଗ୍ରେସ ସଭାପତି କେ. ସୁଧାକରନ ସମାଲୋଚନା କରିଛନ୍ତି।

Share