ପ୍ରେମଭରା ମେସେଜ ପଠାଇ ମାସକୁ ଏତିକି ଟଙ୍କା ରୋଜଗାର କରୁଛନ୍ତି ଏହି ମହିଳା

ଓ୍ବାଶିଂଟନ,୨୨ା୧: ଅର୍ଥ ରୋଜଗାର ପାଇଁ କିଏ କେତେ ପ୍ରକାର ଯୋଜନା କରିଥାନ୍ତି। ଜଣେ ମହିଳା କେବଳ ମେସେଜ ପଠାଇ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ଘଟଣା ଦେଖିବାକୁ ମିଳିଛି ଆମେରିକାରେ। ଜଣେ ବ୍ୟକ୍ତି କେବଳ ମେସେଜ ପାଇଁ ଦୀର୍ଘ ୩ ବର୍ଷ ଧରି ମହିଳା ଜଣଙ୍କୁ ଲକ୍ଷାଧିକ ଟଙ୍କା ଦେଇଛନ୍ତି। ଏକଥା ଆମେ କହୁନୁ। ମହିଳା ଜଣକ ନିଜେ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରି କହିଛନ୍ତି।

ଆମେରିକାରେ ରହୁଥିବା ବେଲି ହଣ୍ଟର ନାମକ ଏହି ମହିଳା ଜଣକ ସ୍ଥାନୀୟ ଏକ ରେଷ୍ଟୁରାଣ୍ଟରେ ଓ୍ବେଟର ଭାବରେ କାମ କରନ୍ତି। ଥରେ ଜଣେ ବ୍ୟକ୍ତି ତାଙ୍କଠାରୁ କମ୍‌ ବୟସର ଜଣେ ମହିଳାଙ୍କ ସହ ଡିନର କରିବାକୁ ଆସିଥିଲେ। ଆଉ ବେଲି ତାଙ୍କୁ ଡିନର ସର୍ଭ କରିଥିଲେ । ବିଲ୍‌ ୨୯୦୦ ଟଙ୍କା ହୋଇଥିବା ବେଳେ ବ୍ୟକ୍ତି ଜଣଙ୍କ ଟିପ୍ସ ବାବଦରେ ୭ ହଜାର ୪୦୦ ଟଙ୍କା ଦେଇଥିଲେ। ମୋଟା ଅଙ୍କର ଟିପ୍ସ ସହ ଭିଜିଟିଂ କାର୍ଡ ବି ଦେଇଥିଲେ ।

ବେଲି ଧନ୍ୟବାଦ ଜଣାଇବା ପାଇଁ ଭିଜିଟିଂ କାର୍ଡରେ ଥିବା ନମ୍ବରରେ ବ୍ୟକ୍ତିଙ୍କୁ ମେସେଜ କରିଥିଲେ। ଆଉ ମେସେଜ ପାଇଁ ବ୍ୟକ୍ତି ଜଣଙ୍କ ଲେଖିଥିଲେ- ତୁମେ ନିଆରା, ତୁମେ ଟିପ୍ସ ପାଇବାକୁ ଯୋଗ୍ୟ । ତୁମେ ଆଉ କେବେ ଡିନର ସର୍ଭ କରିବ ? ମୁଁ ଆସିବି ।

ଆଉ କିଛି ଅଧିକ ଟଙ୍କା କମାଇବାର ଆଶାରେ ବେଲି କହିଥିଲେ, ମୁଁ ଆଗକୁ ବି ଏହି ଓ୍ବେଟର କାମ କରିବି। ଏମିତି ଦିନକୁ ଦିନ ବ୍ୟକ୍ତିଙ୍କ ସହ ବେଲିଙ୍କର ସମ୍ପର୍କ ବଢ଼ିଲା। ଦୁହେଁ ଦୁଇ ବନ୍ଧୁଙ୍କ ପରି କଥାବାର୍ତ୍ତା କରନ୍ତି। ବେଲିଙ୍କ କଥାବାର୍ତ୍ତା ଏହି ବ୍ୟକ୍ତିଙ୍କ ହୃଦୟକୁ ଛୁଇଁଥିଲା।  ବେଲିଙ୍କ ଆର୍ଥିକ ସ୍ଥିତି ବିଷୟରେ ଜାଣିବା ପରେ ବ୍ୟକ୍ତି ଜଣଙ୍କ ତାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ସେ ୩ ବର୍ଷ ଧରି ବେଲିଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଥିଲେ। ଯାହାଦ୍ୱାରା କେବଳ ମେସେଜରୁ ବେଲି ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରିପାରିଥିଲେ।

Share