Categories: ଜାତୀୟ

ବୟଫ୍ରେଣ୍ଡଙ୍କୁ ବିବାହ କରିବା ପାଇଁ ମିଛ ଗଣବଳାତ୍କାର ଅଭିଯୋଗ ଆଣିଲେ ଯୁବତୀ

ନାଗପୁର,୧୪।୧୨: ଜଣେ ୧୯ ବର୍ଷୀୟା ଯୁବତୀ ତାଙ୍କ ବୟଫ୍ରେଣ୍ଡକୁ ବିବାହ କରିବା ପାଇଁ ପୋଲିସରେ ଗଣବଳାତ୍କାର ଅଭିଯୋଗ କରିଥିଲେ। ଦିନ ତମାମ ନାଗପୁର ପୋଲିସ ତଦନ୍ତ କରିବା ପରେ ଯୁବତୀ ମିଛ ଅଭିଯୋଗ କରିଥିବା ଜଣାପଡ଼ିଥିବା ଅଧିକାରୀ କହିଛନ୍ତି।

ଯୁବତୀ ଜଣଙ୍କ ସୋମବାର ଅପରାହ୍ନ ପ୍ରାୟ ୧୧ଟା ବେଳେ କାଲାମନା ଥାନାରେ ଗଣବଳାତ୍କାର ଅଭିଯୋଗ କରିଥିଲେ। ଏହାପରେ ନାଗପୁର ପୋଲିସ କମିଶନର ଅମିତେଶ କୁମାରଙ୍କ ସମେତ ହଜାରେ ପୋଲିସ କର୍ମୀଙ୍କୁ ନେଇ ତଦନ୍ତ ପାଇଁ ଦଳ ଗଠନ କରାଯାଇଥିଲା। ମାତ୍ର ସହରରେ ଲାଗିଥିବା ୨୫୦ରୁ ଅଧିକ ସିସିଟିଭ ଫୁଟେଜ ଯାଞ୍ଚ କରିବା ପରେ ଯୁବତୀ ଜଣଙ୍କ ମିଛ ଗଣବଳାତ୍କାର କାହାଣୀ କହୁଥିବା ତଦନ୍ତକାରୀ ଦଳ ସିଦ୍ଧାନ୍ତରେ ପହଞ୍ଚିଥିଲା। ପରେ ପଚରାଉଚରା ବେଳେ ଯୁବତୀ ଜଣଙ୍କ ବୟଫ୍ରେଣ୍ଡକୁ ବିବାହ କରିବା ପାଇଁ ମିଛ କହୁଥିବା ସ୍ବୀକାର କରିଥିଲେ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

ପୂର୍ବରୁ ନାଗପୁରର ଚିଖାଲି ଅଞ୍ଚଳରେ ଦୁଇ ଜଣ ବ୍ୟକ୍ତି ଗଣବଳାତ୍କାର କରିଥିବା ଯୁବତୀ ଅଭିଯୋଗ ଆଣିଥିଲେ। ମ୍ୟୁଜିକ୍‌ କ୍ଲାସ ଯାଉଥିବା ବେଳେ ଦୁଇ ଜଣ ବ୍ୟକ୍ତି ଧଳା ରଙ୍ଗର ଭ୍ୟାନରେ ଆସି ମୋତେ ବାଟ ପଚାରିଥିଲେ। ତା’ ପରେ ସେମାନେ ମୋତେ ଜବରଦସ୍ତି ଟାଣି ନେଇଥିଲେ ଭ୍ୟାନ ଭତରକୁ। ଏକ ନିର୍ଜନ ସ୍ଥାନକୁ ନେଇ ଗଣବଳାତ୍କାର କରିଥିବା ଦର୍ଶାଇଥିଲେ ଅଭିଯୋଗରେ।

ଗଣବଳାତ୍କାର ଘଟଣା ହୋଇଥିବାରୁ ତୁରନ୍ତ ତଦନ୍ତ କାର୍ଯ୍ୟ ଆରମ୍ଭ କରିଥିଲା ପୋଲିସ। ସହରର ବିଭିନ୍ନ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଦ୍ୱାରା ଭ୍ୟାନକୁ ସହରରେ ଖୋଜିବା ପାଇଁ ହଜାରେ ପୋଲିସ କର୍ମୀଙ୍କୁ ନେଇ ୪୦ ସ୍ବତନ୍ତ୍ର ଦଳ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ କମିଶନର ଅମିତେଶ। ୬ ଘଣ୍ଟା ଧରି ପରିଶ୍ରମ ଓ ୫୦ରୁ ଅଧିକ ଲୋକଙ୍କୁ ପଚରାଉଚରା ପରେ ଯୁବତୀ ମିଛ କହୁଥିବା ସଦ୍ଧାନ୍ତରେ ପହଞ୍ଚିଥିଲା ପୋଲିସ।

Share