
ବରଗଡ଼, ୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ ବ୍ଲକ ଅନ୍ତର୍ଗତ ଜମୁର୍ଡା ଗ୍ରାମର ଚର୍ଚ୍ଚିତ ମହିଳା ଚାଷୀ ରାମବାଇ ଦାସ ଏବେ ପୁଣି ଚର୍ଚ୍ଚାରେ । ମୃତ୍ୟୁ ପରେ ସର୍ବାଙ୍ଗ ଶରୀର ଦାନ ପାଇଁ ସେ ଚୁକ୍ତିପତ୍ରରେ ସ୍ବାକ୍ଷର କରିଛନ୍ତି।
ଏକଦା ମହିଳା ଚାଷୀ ଭାବେ ପ୍ରଧାନମନ୍ତ୍ରୀଙ୍କଠାରୁ ଦିଲ୍ଲୀରେ ସମ୍ମାନିତ ହୋଇଥିଲେ ରାମବାଇ । ଗରିବ ପରିବାରରେ ଜନ୍ମ ହୋଇଥିବା ରାମବାଇ ପିଲା ଦିନରୁ ସଂଘର୍ଷମୟ ଜୀବନ ଯାପନ କରିଥିଲେ । ତାଙ୍କ ବୈବାହିକ ଜୀବନ ମଧ୍ୟ ଥିଲା ଦୁଃଖମୟ । ସ୍ବାମୀଙ୍କୁ ଖୁବ କମ ବୟସରେ ହରାଇଥିଲେ ରାମବାଇ। ରାମବାଇଙ୍କ ଉପରେ ଏକ ମାତ୍ର ଝିଅ ଓ ବୁଢ଼ୀ ମାଆ ସହିତ ପରିବାର ପୋଷଣର ଦାୟିତ୍ୱ ନ୍ୟସ୍ତ l ନିଜସୱ କିଛି ସମ୍ପତ୍ତି ନଥିବାରୁ ଅନ୍ୟମାନଙ୍କ ଜମିରେ ଭାଗ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି।
ସମାଜ ପାଇଁ କିଛି କରିବାର ନିଶା ସବୁବେଳେ ରାମବାଇଙ୍କୁ ବିଚଳିତ କରିବା ସହ ଜୁହାର ପରିବାର, ସମ୍ବଲପୁରର ସଂଯୋଜକ ପ୍ରଫୁଲ୍ଲ କୁମାର ଦାଶଙ୍କ ପରିବାରର ୫ଜଣ ସଦସ୍ୟା, ସଦସ୍ୟ ସର୍ବାଙ୍ଗ ଦାନ କରିବା ତାଙ୍କୁ ପ୍ରେରଣା ଦେଇଥିଲା। ମୃତ୍ୟୁ ପରେ ନିଜର ସର୍ବାଙ୍ଗ ଦାନ ପାଇଁ ବରଗଡ଼ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ସହିତ ଯୋଗାଯୋଗ କରନ୍ତି ରାମବାଇ ଦାସ । ସର୍ବାଙ୍ଗ ଦାନ ପାଇଁ ଆବଶ୍ୟକ ଚୁକ୍ତିପତ୍ରକୁ ନିଷ୍ଠା ପରିବାର ଦାରା ପ୍ରସ୍ତୁତ ପରେ ସ୍ବାକ୍ଷର କରିବା ସହ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୂର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ANATOMY)କୁ ନିଷ୍ଠା ପରିବାରର ମହିଳା ଶାଖା ର ସଂଯୋଜିକା ତ୍ରିପୁରା ସୂହୁଲା ଓ ସକ୍ରୀୟ ସଦସ୍ୟା ସୁତପା ଗଡତିଆଙ୍କ ସହ ଯାଇ ନିଜର ଚୁକ୍ତିପତ୍ରକୁ ପ୍ରଦାନ କରିଛନ୍ତି ରାମବାଇ।
ମୃତ୍ୟୁ ପରେ ଶରୀର ପୋଡ଼ି ପାଉଁଶ ହୋଇ ଯିବା ଅପେକ୍ଷା ତାଙ୍କ ଆଖିରେ ଦୁଇ ଜଣ ଏ ରଙ୍ଗୀନ ଦୁନିଆ ଦେଖି ପାରିବେ, ତା’ ସହିତ ମେଡିକାଲ ଛାତ୍ରୀଛାତ୍ରମାନେ ତାଙ୍କ ଶରୀରରେ ପାଠ ପଢି ପାରିବେ ବୋଲି ସେ ଆଶା ରଖିଛନ୍ତି । ସେଥିପାଇଁ ସେ ବହୁତ ଖୁସି ଅନୁଭବ କରିବା ସହ ଏଭଳି ମହତ କାମରେ ତାଙ୍କୁ ସହଯୋଗ କରିଥିବାରୁ ସେ ନିଷ୍ଠା ପରିବାରକୁ ବହୁତ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏଭଳି ମହତ ଚିନ୍ତା ଥିବା ମହିଳା ଚାଷୀ ରାମବାଇ ଦାସ ଏକ ବଡ ଉଦାହରଣ ସୃଷ୍ଟି କରିବା ସହ ଅନେକଙ୍କ ପାଇଁ ପ୍ରେରଣା ଯୋଗାଇଛନ୍ତି ବୋଲି ନିଷ୍ଠା ପରିବାରର ଉପଦେଷ୍ଟା ସଚି ପଣ୍ଡା ଓ ଅଶ୍ୱିନୀ ତ୍ରିପାଠୀ ଭୂୟସୀ ପ୍ରଶଂସା କରିବା ସହ ନିଷ୍ଠା ପରିବାର ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ।