ଫିଲ୍ମ ଷ୍ଟାଇଲ୍‌ରେ ଛାଡ଼ପତ୍ର ଦାବି କଲେ ମହିଳା

ମିରଟ,୧୫।୩: ଉତ୍ତରପ୍ରଦେଶରେ ଜଣେ ମହିଳା ହିନ୍ଦୀ ଫିଲ୍ମ ବାଲା ଷ୍ଟୋରୀ ଷ୍ଟାଇଲ୍‌ରେ ସ୍ବାମୀଙ୍କଠାରୁ ଛାଡ଼ପତ୍ର ଦାବି କରିଛନ୍ତି। ସେ ପରିବାର କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି ଯେ, ବିବାହ ସମୟରେ ତାଙ୍କ ସ୍ବାମୀଙ୍କ ମୁଣ୍ଡରେ କେଶ ଥିଲା। ମାତ୍ର ପରେ ଏସବୁ ଉପୁଡ଼ି ଯାଇଥିଲା। ତେଣୁ ସେ ସ୍ବାମୀଙ୍କଠାରୁ ଛାଡ଼ପତ୍ର ଚାହୁଁଛନ୍ତି। ସ୍ବାମୀଙ୍କ ବ୍ୟକ୍ତିତ୍ୱକୁ ଦୃଷ୍ଟିରେ ରଖି ସେ ବିବାହ କରିଥିଲେ। ମାତ୍ର ଏବେ ଆଉ ପୂର୍ବ ସ୍ଥିତି ନାହିଁ। ସେଥିପାଇଁ ସେ ଏଭଳି କରୁଥିବା ଆବେଦନରେ ଉଲ୍ଲେଖ କରିଥିଲେ। ତେବେ ପରିବାର କୋର୍ଟ ପକ୍ଷରୁ ସମ୍ପୃକ୍ତ ମହିଳାଙ୍କୁ ଦ୍ୱିତୀୟ ଥର କାଉନସେଲିଂ କରାଯିବା ପରେ ସେ ସ୍ବାମୀଙ୍କ ସହିତ ରହିବାକୁ ରାଜି ହୋଇଛନ୍ତି। ପ୍ରଥମ ଥର କାଉନସେଲିଂରେ ମହିଳା ଜଣଙ୍କ ଛାଡ଼ପତ୍ର ଲାଗି ଜିଦ୍‌ ଧରିବା ସହିତ କାନ୍ଦିଥିଲେ। ତେବେ ପରେ ଦ୍ୱିତୀୟ କାଉନସେଲିଂରେ ସ୍ଥିତିରେ ପରିବର୍ତ୍ତନ ଆସିଥିଲା। ପରେ ଦୁହେଁ ଘରକୁ ଫେରିଥିବା ପରିବାର କୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି।

Share