ସ୍ବାମୀ ନ ଗାଧୋଇବାରୁ ସ୍ତ୍ରୀ ଦେଲେ ଡିଭର୍ସ, ତା’ପରେ…

ଅଙ୍କାରା,୩।୨: ପ୍ରତିଦିନ ଗାଧୋଇବା ଓ ନିଜକୁ ସଫାସୁତରା ରଖିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଦାୟିତ୍ୱ। ଖରାଦିନେ ଲୋକେ ଦିନକୁ ଦୁଇ-ତିନିଥର ଗାଧୋଇବାବେଳେ ଶୀତଦିନେ କମ୍‌ ଗାଧୋଇଥାନ୍ତି କିମ୍ବା ୪-୫ଦିନ ବ୍ୟବଧାନରେ ଗାଧୋଇଥାନ୍ତି। କିନ୍ତୁ ସ୍ବାମୀ ନ ଗାଧୋଇବା ଯୋଗୁ ଦୁହିଁଙ୍କ ମଧ୍ୟରେ ଛାଡପତ୍ର ହୋଇଯିବ କେବେ କଳ୍ପନା କରିଛନ୍ତି। ଏପରି ମାମଲା ନିକଟରେ ସାମ୍ନାକୁ ଆସିଛି। ତୁର୍କୀର ଜଣେ ମହିଳା ଏସମ୍ପର୍କରେ କୋର୍ଟରେ ମକଦ୍ଦମା ଦାୟର କରିଛନ୍ତି।

ଘଟଣା ଏହା କି, ମହିଳା ଜଣକ ନିଜ ଆବେଦନରେ କହିଛନ୍ତି କି, ତାଙ୍କ ସ୍ବାମୀ ୭-୧୦ଦିନ ଧରି ସ୍ନାନ କରନ୍ତି ନାହିଁ। ଯାହାଯୋଗୁ ତାଙ୍କ ଶରୀରରୁ ଦୁର୍ଗନ୍ଧ ଆସିଥାଏ। ଏପରି କି ସେ ସପ୍ତାହରେ ଥରେ କିମ୍ବା ଦୁଇଥର ଦାନ୍ତ ଘଷନ୍ତି। ଓଡିଟ ସେଣ୍ଟ୍ରାଲ ରିପୋର୍ଟ ଅନୁଯାୟୀ ମହିଳା ଜଣକ ନିଜ ବ୍ୟକ୍ତିଗତ ସ୍ବଚ୍ଛତାକୁ ଦୃଷ୍ଟିରେ ରଖି ସ୍ବାମୀଙ୍କ ବିରୋଧରେ ଛାଡପତ୍ର ମାମଲା ଦାୟର କରିଛନ୍ତି। ମହିଳାଙ୍କ ଓକିଲ କୋର୍ଟକୁ କହିଛନ୍ତି ଯେ, ତାଙ୍କ ସ୍ବାମୀ ୫ ଦିନ ଯାଏ ସମାନ ପୋଷାକ ପିନ୍ଧିଥାନ୍ତି। ଏଥିସହ ସେ କ୍ୱଚିତ ସ୍ନାନ କରନ୍ତି। ଏହି କାରଣରୁ ତାଙ୍କ ଶରୀର ଏବଂ ପୋଷାକରୁ ଆସୁଥିବା ଦୁର୍ଗନ୍ଧରେ ମହିଳା ଅସ୍ୟହ ହୋଇ ପଡୁଥିଲେ।

ସୂଚନା ଅନୁଯାୟୀ, ମହିଳାଙ୍କ ଦାବିକୁ ପ୍ରମାଣିତ କରିବା ପାଇଁ କିଛି ସାକ୍ଷୀଙ୍କୁ କୋର୍ଟରେ ଡକାଯାଇଥିଲା। ଯେଉଁଥିରେ ମହିଳାଙ୍କ ସ୍ବାମୀଙ୍କ କିଛି ପରିଚିତ ଏବଂ ତାଙ୍କ ସହକର୍ମୀ ମଧ୍ୟ ରହିଥିଲେ। ସେମାନେ ସମସ୍ତେ ବ୍ୟକ୍ତିଙ୍କ ଖରାପ ବ୍ୟକ୍ତିଗତ ସ୍ବଚ୍ଛତାକୁ ନିଶ୍ଚିତ କରିଥିଲେ। ଏହା ପରେ କୋର୍ଟ ଉକ୍ତ ମହିଳାଙ୍କ ଛାଡପତ୍ର ଅନୁମୋଦନ କରିଥିଲେ। ଏଥିସହ ବ୍ୟକ୍ତିଗତ ସ୍ବଚ୍ଛତା ଅଭାବରୁ ସ୍ତ୍ରୀଙ୍କୁ ୧୩ଲକ୍ଷ ୬୯ହଜାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share