ନୂଆଦିଲ୍ଲୀ,୧୧ା୧: ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣାକୁ ନେଇ ଏୟାର ଇଣ୍ଡିଆ ବଦ୍ନାମ ହୋଇଥିବାବେଳେ ଏବେ ବିମାନରେ ପରିବେଷଣ କରାଯାଉଥିବା ଖାଦ୍ୟରେ ଗୋଡ଼ି ବାହାରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଜଣେ ମହିଳା ଯାତ୍ରୀଙ୍କୁ ଦିଆଯାଇଥିବା ଖାଦ୍ୟର ଦୁଇଟି ଫଟୋ ସେ ଟୁଇଟରରେ ଶେୟାର କରି ସେଥିରେ ଥିବା ଗୋଡ଼ିକୁ ଦେଖାଇଛନ୍ତି। ଏଭଳି ଅବହେଳା ଗ୍ରହଣୀୟ ନୁହେଁ ବୋଲି ଅନେକ ଟୁଇଟର ବ୍ୟବହାରକାରୀ କହିବା ସହ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଟାଟା ଗ୍ରୁପ୍ ମାଲିକାନାରେ ଥିବା ଏୟାର ଇଣ୍ଡିଆର ସେବା ମାନକୁ ନେଇ ପ୍ରଶ୍ନ ଉଠିଛି। ସର୍ବପ୍ରିୟା ସଙ୍ଗଓ୍ବାନ ନାମ୍ନୀ ଏହି ଯାତ୍ରୀ ଏୟାରଇଣ୍ଡିଆ ଫ୍ଲାଇଟ୍ ୨୧୫ରେ ଯାତ୍ରା କରୁଥିବାବେଳେ ତାଙ୍କୁ ଦିଆଯାଇଥିବା ଖାଦ୍ୟରୁ ଗୋଡ଼ି ବାହାରିଥିଲା। ଏ ସମ୍ପର୍କରେ ସେ ବିମାନର କ୍ରିଉ ମେମ୍ବର ମିସେସ୍ ଜାଡୋନ୍ଙ୍କୁ ଜଣାଇଥିଲେ। ଏୟାର ଇଣ୍ଡିଆ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଏ ସମ୍ପର୍କରେ କ୍ୟାଟରିଂ ଟିମ୍କୁ ତୁରନ୍ତ ଜଣାଇ ଦିଆଯାଇଥିବା କହିଛି।