Categories: ଫୁରସତ

ମହିଳା ଜନ୍ମଦେଲେ ଯାଆଁଳା ସନ୍ତାନ, ୮ ମାସ ପରେ ଜଣାପଡ଼ିଲା ପିଲା ଦୁହିଁଙ୍କ ବାପା ଅଲଗା

ମଣିଷ ଶରୀର ସହିତ ଜଡ଼ିତ ଅନେକ କଥା ରହିଛି, ଯାହା ଡାକ୍ତରମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥାଏ। ବିଶେଷକରି ଗର୍ଭଧାରଣ ଏବଂ ଜନ୍ମ ହେଉଛି ଏପରି ପ୍ରକ୍ରିୟା ଯାହାକୁ ନେଇ ଅନେକ ଆଶ୍ଚର୍ଯ୍ୟକର ଘଟଣା ଘଟିଥାଏ। ଏମିତି ଏକ ଘଟଣା ପର୍ତ୍ତୁଗାଲରେ ଦେଖିବାକୁ ମିଳିଛି।

ପର୍ତ୍ତୁଗାଲରେ ରହୁଥିବା ଜଣେ ମହିଳା ଯାଆଁଳା ସନ୍ତାନ ଜନ୍ମ ଦେଇଥିଲେ। ଯାହାଙ୍କ ଡିଏନ୍‌ଏ ପରୀକ୍ଷା ଦ୍ୱାରା ଜଣାପଡିଛି ଯେ, ପିଲା ଦୁହିଁଙ୍କ ବାପା ଅଲଗା ଅଟନ୍ତି। ସମଗ୍ର ବିଶ୍ୱରେ ଏହା ହେଉଛି ୨୦ତମ ମାମଲା। ଡାକ୍ତରୀ ବିଜ୍ଞାନ ଭାଷାରେ ଏଭଳି ମାମଲାକୁ ହେଟେରୋପେଣ୍ଟାଲ ସୁପରଫେକଣ୍ଡେଶନ କୁହାଯାଏ।

ପର୍ତ୍ତୁଗାଲର ଗୋୟାସ ରାଜ୍ୟର ମାଇନେରୋସ ସହରରେ ରହୁଥିବା ଜଣେ ମହିଳା ଯାଆଁଳା ସନ୍ତାନ ଜନ୍ମ ଦେଇଥିଲେ। ଯେଉଁ ବ୍ୟକ୍ତିଙ୍କୁ ଏହି ପିଲାମାନଙ୍କର ବାପା ଭାବରେ ଚିହ୍ନଟ କରାଯାଇଥିଲା ସେ ପିଲାମାନଙ୍କର ଡିଏନ୍‌ଏ ପରୀକ୍ଷା କରିବାକୁ ଚାହୁଁଥିଲେ। ଯେତେବେଳେ ପରୀକ୍ଷା କରାଯାଇଥିଲା, ସେତେବେଳେ ସେ ଜାଣିବାକୁ ପାଇଲେ, ଏହି ଦୁଇ ପିଲାଙ୍କ ମଧ୍ୟରୁ କେବଳ ସେ ଜଣଙ୍କର ବାପା ଅଟନ୍ତି। ଅନ୍ୟ ଶିଶୁର ଡିଏନ୍‌ଏ ତାଙ୍କଠାରୁ ମିଳିପାରି ନାହିଁ। ପିଲାମାନଙ୍କର ରୂପ ମଧ୍ୟ ପରସ୍ପର ସହିତ ଅତ୍ୟନ୍ତ ସମାନ, ଏପରି ପରିସ୍ଥିତିରେ, ସେମାନଙ୍କର ବାପା ଅଲଗା ହୋଇପାରନ୍ତି ବୋଲି ସେମାନଙ୍କର ମା’ ବି ଜାଣି ନ ଥିଲେ। ପିଲାମାନଙ୍କୁ ୮ ମାସ ବୟସ ପରେ ଚିହ୍ନଟ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ, ମହିଳା ଜଣକ କହିଛନ୍ତି; ସେ ଏକାସାଙ୍ଗରେ ଦୁଇ ପୁରୁଷଙ୍କ ସହ ସମ୍ପର୍କ ରଖିଥିଲେ। ଡିଏନ୍‌ଏ ଫଳାଫଳ ଦେଖି ସେ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଜନ୍ମ ପ୍ରମାଣପତ୍ରରେ ପିଲାମାନଙ୍କର ପିତାଙ୍କ ନାମରେ ସମାନ ବ୍ୟକ୍ତିଙ୍କ ନାମ ରହିଛି ଏବଂ ସେ ସେମାନଙ୍କର ଯତ୍ନ ନେବାରେ ମଧ୍ୟ ସାହାଯ୍ୟ କରନ୍ତି। ଡକ୍ଟର ଟୁଲିଓ ଜର୍ଜ ଫ୍ରାଙ୍କୋଙ୍କ ଅନୁଯାୟୀ, ହେଟେରୋପେରେଣ୍ଟାଲ ସୁପରଫେକଣ୍ଡେଶନର ଏହା ହେଉଛି ୨୦ତମ ମାମଲା। ଏମିତି ଗର୍ଭଧାରଣ ହୁଏ, ଯେତେବେଳେ ମା’ର ଦୁଇଟି ଅଣ୍ଡା ଦୁଇ ଭିନ୍ନ ପୁରୁଷଙ୍କ ଶୁକ୍ରାଣୁ ଦ୍ୱାରା ଫର୍ଟିଲାଇଜ ହୁଏ। ସେମାନଙ୍କର ଜେନେଟିକ୍‌ ଜିନିଷ ମା’ଙ୍କର ଅଟେ। କିନ୍ତୁ ପ୍ଲେସେଣ୍ଟା ଅଲଗା ଅଟେ। ସେହି କ୍ଷେତ୍ରରେ ଏପରି ବିରଳ ଘଟଣା ଦେଖିବାକୁ ମିଳିଥାଏ।

Share