ଲକ୍ଷ୍ନୌ,୨୯।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସ୍ଥିତି ସୃଷ୍ଟି ହୋଇଛି। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କୁ ଅକ୍ସିଜେନ୍ ଏବଂ ଇଞ୍ଜେକଶନ ସହିତ ଅନ୍ୟ ଔଷଧ ଠିକ ସମୟରେ ନ ମିଳିବାରୁ କେତେକ ଆକ୍ରାନ୍ତଙ୍କର ମୃତ୍ୟୁ ମଧ୍ୟ ଘଟୁଛି। ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶରେ ଘଟିଛି। ଜଣେ ମହିଳା କରୋନା ଆକ୍ରାନ୍ତ ତାଙ୍କ ପୁଅ ପାଇଁ ରେମଡେସିଭିର ଇଞ୍ଜେକଶନ୍ ଲାଗି ସିଏମ୍ଓ ଗୋଡ଼ ଧରିଛନ୍ତି। ତେବେ ବି ତାଙ୍କ ୨୪ ବର୍ଷ ବୟସ୍କ ପୁଅଙ୍କ ପାଇଁ ଇଞ୍ଜେକଶନ୍ ଯୋଗାଡ଼ ହୋଇ ନ ପାରିବାରୁ ତାଙ୍କର ମୃତ୍ୟୁ ଘଟିଛି। ଏବେ ଏହି ଘଟଣାର ଫଟୋ ଓ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ନୋଏଡ଼ାର ସେକ୍ଟର-୫୧ସ୍ଥିତ ହସ୍ପିଟାଲରେ ରିଙ୍କି ଦେବୀଙ୍କ ପୁଅଙ୍କର ଚିକିତ୍ସା ଜାରି ରହିଥିଲା। ତାଙ୍କ ଲାଗି ରେମଡେସିଭିର ଇଞ୍ଜେକଶନ୍ ଆବଶ୍ୟକ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। ତେବେ ଏହା ସିଏମ୍ଓଙ୍କ ଅଫିସରେ ମିଳିବ ବୋଲି ରିଙ୍କି ଦେବୀଙ୍କୁ କୁହାଯାଇଥିଲା। ରିଙ୍କି ଦେବୀ ସିଏମ୍ଓଙ୍କ ଅଫିସରେ ପହଞ୍ଚି କାକୁତି ମିନତି ହେଲେ ବି କେହି ଶୁଣି ନ ଥିଲେ। ଶେଷରେ ସେ ସିଏମ୍ଓ ଡ. ଦୀପକ ଓହରିଙ୍କୁ ଭେଟିଥିଲେ। ସିଏମ୍ଓ ରେମଡେସିଭିର ଇଞ୍ଜେକଶନ୍ ଷ୍ଟକ୍ ନ ଥିବା କହିଥିଲେ। ଫଳରେ ରିଙ୍କି ଦେବୀଙ୍କ ପୁଅଙ୍କର ଇଞ୍ଜେକଶନ୍ ଯୋଗୁ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।