ଦୁର୍ଘଟଣାରେ ଚାଲିଗଲା ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ଜୀବନ: କ୍ଷତିପୂରଣ ଦାବିରେ ଆନ୍ଦୋଳନ

ପାରଳାଖେମୁଣ୍ଡିି,୨୩।୧୦(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ଠିକା ନିଯୁକ୍ତି ହଟାଇବା ପରେ ଅନିଶ୍ଚିତତା ମଧ୍ୟରେ ରହିଥିବା ଠିକା ସ୍ବାସ୍ଥ୍ୟ କର୍ମଚାରୀମାନେ ଗତ ଶନିବାର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ପାରଳାଖେମୁଣ୍ଡି ଆସିଥିଲେ। ଆଲୋଚନା ସରିବା ପରେ ବିରିକୋଟ ଡାକ୍ତରଖାନାର ଷ୍ଟାଫନର୍ସ ପ୍ରେମାଦିନୀ ନାୟକ ତାଙ୍କ ସମ୍ପର୍କୀୟଙ୍କ ସହ ଅଟୋରେ ଫେରୁଥିଲେ। ଆର.ଉଦୟଗିରି ଥାନାର ଛେଳିଗଡ ପାଟପାଣି ଗାଁ ନିକଟରେ ଅଟୋ ସହ ଏକ ବାଇକ ମୁହାମୁହିଁ ଧକ୍କା ହେବାରୁ ଷ୍ଟାଫ ନର୍ସ ପ୍ରେମାଦିନୀଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ପରିବାରକୁ କ୍ଷତିପୂରଣ ସହ ସ୍ଥାୟୀ ନିଯୁକ୍ତି ଦାବିରେ ସ୍ବାସ୍ଥ୍ୟ କର୍ମଚାରୀମାନେ ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ରଖି ଆନ୍ଦୋଳନ କରିଥିଲେ।

ସ୍ଥାୟୀ ନିଯୁକ୍ତିର ଆଶା ନେଇ କାମ କରୁଥିବା ଠିକା ସ୍ବାସ୍ଥ୍ୟ କର୍ମଚାରୀଙ୍କ କର୍ତ୍ତବ୍ୟରତ ଅବସ୍ଥାରେ ମୃତ୍ୟୁ ଘଟିଥିବାରୁ ତାଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ଜିଦ୍‌ ଧରିଥିଲେ। ସ୍ଥାୟୀ ନିଯୁକ୍ତି ଆଶା ପୂରଣ ନେଇ ଜିଲାର ଅନ୍ୟାନ୍ୟ ଠିକା ସ୍ବାସ୍ଥ୍ୟ କର୍ମଚାରୀ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆନ୍ଦୋଳନ ଜାରି ରଖିଥିଲେ। ସରକାରଙ୍କ ଗେଜେଟ ନୋଟିଫିକେସନ ପରେ ଯେଉଁ ଠିକା କର୍ମଚାରୀମାନେ ଯୋଗ୍ୟ ବିବେଚିତ ହେବେ, ସେମାନେ ସ୍ଥାୟୀ ନିଯୁକ୍ତି ହୋଇପାରିବେ। ଯାହାକି କିଛି ଦିନ ପରେ ସ୍ପଷ୍ଟ ହେବ। ମୃତକଙ୍କ ପରିବାରକୁ ରୋଗୀ କଲ୍ୟାଣ ସମିତି ପାଣ୍ଠିରୁ କୋଡିଏ ହଜାର ଟଙ୍କା ପ୍ରଦାନ କରାଯାଇଛି ବୋଲି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପି.କେ ପାତ୍ର କହିଛନ୍ତି।