ମୁହଁର ଅପରେଶନ ପରେ ହଠାତ୍‌ ଅଲଗା ଭାଷାରେ କଥା ହେଲେ ମହିଳା

କାନ୍‌ବେରା,୧୫।୫: ଅଷ୍ଟ୍ରେଲିଆର ଜଣେ ମହିଳା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛନ୍ତି। ଏହି ମହିଳାଙ୍କ କହିବା କଥା ସେ ତାଙ୍କ ଜିଭର ଅପରେଶନ କରାଇବା ପରେ ହଠାତ୍‌ ନିଜ ଭାଷା ବଦଳରେ ଅଲଗା ଭାଷାରେ କଥା ହେବାରେ ଲାଗିଲେ।

୨୭ ବର୍ଷୀୟା ଆଞ୍ଜେଲା ୟେନ୍‌ ଅଷ୍ଟେଲିଆର ବ୍ରିସ୍‌ବେନ୍‌ ସହରରେ ରହୁନ୍ତି। ସେ ୧୯ ଏପ୍ରିଲରେ ସେ ତାଙ୍କ ଟନ୍‌ସିଲଲେକ୍ଟୋମିର ଅପରେଶନ କରାଇଥିଲେ। ଏହାର କିଛିଦିନ ପରେ ସେ ନିଜ ଭାଷାରେ କଥା କହିବାରେ ଅସୁବିଧାର ସମ୍ମୁଖୀନ ହେଲେ। ଅପରେଶନର ୧୦ ଦିନ ପରେ ସେ ସମ୍ପୂର୍ଣ୍ଣ ଭାବେ ଆୟରିଶ୍‌ ଭାଷାରେ କଥା ହେଲେ। ଯାହାକି ଆୟରଲ୍ୟାଣ୍ଡର ଭାଷା। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ସେ କେବେ ବି ଆୟରଲ୍ୟାଣ୍ଡ ଯାଇ ନାହାନ୍ତି।

ସେ ତାଙ୍କର ଏକ ଟିକ୍‌ଟକ୍‌ ଭିଡିଓରେ କହିଛନ୍ତି, ମୁଁ ଜୀବନରେ କେବେ ହେଲେ ଆୟରଲ୍ୟାଣ୍ଡ ଯାଇନାହିଁ। ମୁଁ ଅଷ୍ଟ୍ରେଲିଆରେ ବଡ଼ ହୋଇଛି। ଯେତେବେଳେ ମୁଁ ୮ ବର୍ଷର ହୋଇଥିଲି ସେତେବେଳେ ଅଷ୍ଟ୍ରେଲିଆ ଆସିଥିଲି। ମାତ୍ର ଅପରେଶନର ୧୦ ଦିନ ପରେ ମୁଁ ମୋ ମୂଳ ଭାଷା କହିବା ବଦଳରେ ଆୟରିଶ୍‌ ଭାଷା କହିବାରେ ଲାଗିଲି। ଯାହା ମୁଁ ନଜେ ମଧ୍ୟ ଜାଣି ପାରୁନି। ଏହା କିପରି ସମ୍ଭବ ହେଲା।

ଆଞ୍ଜେଲା ଏହା ଉପରେ ଅନେକ ରିସର୍ଚ୍ଚ କଲେ। କିଛି ଡାକ୍ତରଙ୍କ ସହ କଥା ମଧ୍ୟ ହେଲେ। ତେବେ ଡାକ୍ତରଙ୍କ କହିବାନୁଯାୟୀ, ଆଞ୍ଜେଲାଙ୍କୁ ଫରିନ୍‌ ଆକ୍ସେଣ୍ଟ ସିଣ୍ଡ୍ରୋମ୍‌ ନାମକ ଏକ ରୋଗ ହୋଇଥିଲା। ଏମିତି ଅବସ୍ଥାରେ ସାଧାରଣତଃ ଲୋକଙ୍କ ମୁଣ୍ଡରେ ଆଘାତ ଲାଗିଥାଏ। ଫଳରେ ରୋଗୀ ନିଜ କହିବା ଶୈଳୀକୁ ଭୁଲିଯାଏ। ୧୯୦୭ ମସିହାରୁ ଏପରି ରୋଗରେ ସମଗ୍ର ବିଶ୍ୱରେ କେବଳ ୧୦୦ ମାମଲା ସାମ୍ନାକୁ ଆସିଛି। ଏଥିମଧ୍ୟରୁ କେତେକ ସ୍ଥାୟୀ ମଧ୍ୟ।

Share