ଖୁଣ୍ଟୁଣୀ, ୪।୪(ଡି.ଏନ୍.ଏ.): ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାଧାଦାମୋଦରପୁର ଗ୍ରାମକୁ ଯାତ୍ରା ଦେଖିବାକୁ ପଡ଼ୋଶୀଙ୍କ ସହିତ ଆସିଥିବା ଜଣେ ମହିଳା ଯାତ୍ରା ପଡିଆରୁ ନିଖୋଜ ଥିବା ତାଙ୍କ ସ୍ବାମୀ ସୋମବାର ଥାନାରେ ଅଭିଯୋଗ କରିଛନ୍ତି। ଗୁରୁଡ଼ିଝାଟିଆ ଥାନା ଡେରା ଗ୍ରାମର ରାଜକିଶୋର ଗୁନ୍ଦୁଆଙ୍କ ସ୍ତ୍ରୀ କୋଇଲି ଗୁନ୍ଦୁଆ (୨୭) ଗତ ୩୧ ତାରିଖ ରାତି ସାଢ଼େ ୧୦ଟାରେ ତାଙ୍କ ଦୁଇ ପଡ଼ୋଶୀ ଦମ୍ପତିଙ୍କ ସହିତ ତାଙ୍କର ଏକ ୩ ବର୍ଷର ପୁଅକୁ ନେଇ ରାଧା ଦାମୋଦରପୁରକୁ ଯାତ୍ରା ଦେଖିବାକୁ ଯାଇଥିଲେ। କୋଇଲି ସେଠାରୁ ତାଙ୍କ ମୋବାଇଲ ଫୋନ ପଡିଶା ଘର ଦମ୍ପତିଙ୍କୁ ଦେଇ ପରିସ୍ରା କରିବାକୁ କହି ବାହାରକୁ ଆସିଥିଲେ। ହେଲେ ସକାଳ ପାର୍ଯ୍ୟନ୍ତ ସେ ନ ଫେରିବାରୁ ପଡୋଶୀ ଅପେକ୍ଷା କରି ଅଟୋରେ ତାଙ୍କ ପୁଅକୁ ନେଇ ନିଜ ଗ୍ରାମ ଡେରା ପଳାଇଥିଲେ। ଡେରି ହେବାରୁ ରାଜକିଶୋର ଦାଣ୍ଡକୁ ଆସି ଦେଖିଲେ ଯେ ତାଙ୍କ ପୁଅ କାନ୍ଦିକାନ୍ଦି ଆସୁଛି। ପଡିଶା ଘରେ ପଚାରିବାରୁ ସେ କୁଆଡେ ଗଲା ଆମେ ଜାଣିନୁ ବୋଲି କହି କଥାକୁ ଏଡାଇ ଦେଇଥିଲେ। ପ୍ରଥମେ ରାଜକିଶୋର ଗୁରୁଡ଼ିଝାଟିଆ ଥାନାରେ ଏତଲା ଦେଇଥିଲେ। ପରେ ସୋମବାର ପଡୋଶୀଙ୍କ ଉପରେ ସନ୍ଦେହ କରି ଖୁଣ୍ଟୁଣୀ ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ମାମଲା କରା ଯାଇନଥିବା ଏଏସଆଇ ଅମ୍ବିକା ଦାସ କହିଛନ୍ତି ।