Categories: ଜାତୀୟ

ଇଚ୍ଛାମୃତ୍ୟୁ ମାଗିଲେ ମହିଳା ଜଜ୍‌, ଉଦ୍‌ବେଗ ପ୍ରକାଶ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୧୫।୧୨: ଉତ୍ତରପ୍ରଦେଶର ଜଣେ ମହିଳା ବିଚାରପତିଙ୍କ ଇଚ୍ଛାମୃତ୍ୟୁ ଭାଇରାଲ ଚିଠି ଉପରେ ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡ ଆହ୍ଲାବାଦ ହାଇକୋର୍ଟରୁ ରିପୋର୍ଟ ଆଣିବାକୁ କହିଛନ୍ତି। ସୂଚନାନୁସାରେ, ବିଳମ୍ବିତ ରାତିରେ ସିଜେଆଇ ସୁପ୍ରିମକୋର୍ଟର ସେକ୍ରେଟେରୀ ଜେନେରାଲ ଅତୁଲ ଏମ କୁରହେକରଙ୍କୁ ଆହ୍ଲାବାଦ ହାଇକୋର୍ଟ ପ୍ରଶାସନରୁ ଷ୍ଟାଟସ ରିପୋର୍ଟ ମାଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେକ୍ରେଟେରୀ ଜେନେରାଲ ଆହ୍ଲାବାଦ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ଚିଠି ଲେଖି ମହିଳା ବିଚାରପତିଙ୍କ ଦ୍ୱାରା ଦିଆଯାଥିବା ସମସ୍ତ ଅଭିଯୋଗ ସମ୍ପର୍କରେ ସୂଚନା ମାଗିଛନ୍ତି।ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ସେପଟେ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ମଧ୍ୟ ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।

ଭାଇରାଲ ହୋଇଥିବା ଚିଠି ଅନୁଯାୟୀ ୟୁପିର ଜଣେ ମହିଳା ଜଜ୍‌ ତାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଇଚ୍ଛାମୃତ୍ୟୁ ଦାବି କରିଛନ୍ତି। ମହିଳା ଜଜ୍‌ଙ୍କ ଅଭିଯୋଗ ଅନୁଯାୟୀ, ଏକ ପୋଷ୍ଟିଂ ସମୟରେ ଜିଲା ଜଜ୍‌ ଓ ତାଙ୍କ ସହଯୋଗୀମାନେ ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଇଥିଲେ । ଏପରିକି ତାଙ୍କୁ ରାତିରେ ଭେଟିବା ଲାଗି ମଧ୍ୟ କହିଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଏ ନେଇ ସେ ଗତ ଜୁଲାଇ ମାସରେ ହାଇକୋର୍ଟର ଆଭ୍ୟନ୍ତରୀଣ କମିଟିରେ ଅଭିଯୋଗ ବି କରିଥିଲେ । ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ସେ ନିରାଶ ହୋଇ ମହିଳା ଜଜ୍‌ ଇଚ୍ଛାମୃତ୍ୟୁ ଦାବି କରି ଏକ ଚିଠି ଲେଖିଛନ୍ତି।

Share