Categories: ଜାତୀୟ

ବୟଫ୍ରେଣ୍ଡଙ୍କୁ ଫେରି ପାଇବା ପାଇଁ ନବଜାତ ଶିଶୁକୁ ଉଠାଇନେଲେ

କୋଚି,୭।୧: କୋଟାୟାମସ୍ଥିତ ସରକାରୀ କଲେଜ ହସ୍ପିଟାଲରୁ ନବଜାତ ଶିଶୁ ଅପହରଣ ଘଟଣାର କିଛି ଘଣ୍ଟା ମଧ୍ୟରେ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ। ବ୍ୟକ୍ତିଗତ ଉଦ୍ଦେଶ୍ୟ ପାଇଁ ସେ ଏଭଳି ଅପରାଧ ଘଟାଇଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ପ୍ରାଥମିକ ତଦନ୍ତରୁ ମୁଖ୍ୟ ଅଭିଯୁକ୍ତା ନିଥୁ ତାଙ୍କ ବୟଫ୍ରେଣ୍ଡ ଇବ୍ରାହିମ ବାଦୁଶାଙ୍କୁ ବ୍ଲାକମେଲ କରିବା ଲାଗି ନବଜାତ ଶିଶୁକୁ ଅପହରଣ କରିଥିବା ଜଣାପଡ଼ିଛି। ଦୀର୍ଘ ଦିନ ହେଲା ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ଇବ୍ରାହିମ ଅନ୍ୟତ୍ର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିରେ ନିଥୁ ବିଚଳିତ ହୋଇ ଅପହରଣ ଷଡ଼ଯନ୍ତ୍ର କରିଥିଲେ। ଅପହୃତ ନବଜାତ ଶିଶୁ ସେମାନଙ୍କର ବୋଲି କହି ଇବ୍ରାହିମଙ୍କୁ ବ୍ଲାକମେଲ କରିଥିଲେ ନିଥୁ।

ହସ୍ପିଟାଲରୁ ଶିଶୁ ନିଖୋଜ ହେବା ଅଭିଯୋଗ ଆସିବା ପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ସହରରୁ ବାହାରକୁ ଯାଉଥିବା ଯାତ୍ରୀବାହି ଯାନ ଏବଂ ଲଜ୍‌ରେ ସର୍ଚ୍ଚ ଅପରେଶନ କରାଯାଇଥିଲା। ଏହାପରେ ପାଖ ଲଜରୁ ଅଭିଯୁକ୍ତାଙ୍କ ଠାରୁ ସନ୍ଦିଗ୍ଧ ପରିସ୍ଥିତିରେ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଥିଲା ବୋଲି କୋଟାୟାମ ଏସ୍‌ପି ଡି ଶିଳ୍ପା କହିଛନ୍ତି।

Share