ମହିଳାଙ୍କୁ ହତ୍ୟା, ଗୁରୁତର ଅବସ୍ଥାରେ ଶିଶୁକନ୍ୟା ଉଦ୍ଧାର

ବାରିପଦା ଅଫିସ/ବାଙ୍ଗିରିପୋଷି,୪ା୩: ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ଥାନା ଅଧୀନ ଦ୍ୱାରଶୁଣୀ ଘାଟିିରୁ ପୋଲିସ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି। ସେହିପରି କରଞ୍ଜିଆ ଥାନା ଅଧୀନ ଚଢ଼େଇଭୋଳ ଅଞ୍ଚଳରୁ ମୁର୍ମୁଷ ଅବସ୍ଥାରେ ଏକ ଶିଶୁ କନ୍ୟାକୁ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାର ଶିଶୁକନ୍ୟା ସହ ମୃତ ମହିଳାଙ୍କ ସମ୍ପର୍କ ଥିବା ଅନୁମାନ କରି ସାଇଣ୍ଟିଫିକ ଟିମ୍‌ ସହାୟତାରେ ପୋଲିସ ଘଟଣାର ତନାଘନା ଚଳାଇଛି। ତେବେ ଉଭୟଙ୍କ ଡିଏନ୍‌ଏ ଟେଷ୍ଟ ହେବ ବୋଲି ଏସ୍‌ପି ପରମାର୍‌ ସ୍ମିଥ ପୁରୁଷୋତ୍ତମ ଦାସ କହିଛନ୍ତି।
ସୂଚନା ଅନୁଯାୟୀ, ୪୯ନଂ. ଜାତୀୟ ରାଜପଥ ପାର୍ଶ୍ୱ ଦ୍ୱାରଶୁଣୀ ଘାଟି ସୁରକ୍ଷା ପାଚେରୀ ଉପରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ। ମୃତ ମହିଳା ଜଣକ ଧଳା ଓ ଗୋଲାପି ରଙ୍ଗର ସାଲୁଆର କମିଜ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ତେବେ ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ଅନ୍ୟତ୍ର ହତ୍ୟା କରାଯାଇ ଦ୍ୱାରଶୁଣି ଘାଟିରେ ଫିଙ୍ଗି ଦିଆଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏନେଇ ବାଙ୍ଗିରିପୋଷି ଥାନାରେ ଏକ ହତ୍ୟା ମାମଲା(ନଂ.୪୪/୨୧) ରୁଜୁ ହୋଇଛି। ସେହିପରି କରଞ୍ଜିଆ ଥାନା ଚଢ଼େଇଭୋଳ ରାସ୍ତା ପାର୍ଶ୍ୱରୁ ୮ରୁ ୯ବର୍ଷର ଜଣେ ଶିଶୁ କନ୍ୟାଙ୍କୁୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଛି। ଉଭୟ ସ୍ଥାନର ଦୂରତା ୮୦ କି.ମି ବ୍ୟବଧାନରେ ହୋଇଥିବା ବେଳେ ଯୋଜନାବଦ୍ଧ ଭାବେ ଏଭଳି ଘଟଣା ଘଟାଯାଇଥିବା ଚର୍ଚ୍ଚା ହେଉଛି। ମୃତ ମହିଳା ଓ ଉଦ୍ଧାର ଶିଶୁକନ୍ୟାଙ୍କ ପରିଚୟ ମିଳିପାରିନାହିଁ। ଅନ୍ୟପକ୍ଷେ ଭିଡିଓଗ୍ରାଫି ମାଧ୍ୟମରେ ମୃତଦେହ ବ୍ୟବଚ୍ଛେଦ କରାଯିବା ସହିତ ଉଭୟଙ୍କ ଡିଏନ୍‌ଏ ପରୀକ୍ଷା ପାଇଁ ରକ୍ତ ନମୁନା ସଂଗ୍ରହ କରାଯାଇଥିବା ଏସ୍‌ପି କହିଛନ୍ତି। ଖୁବ୍‌ଶୀଘ୍ର ଅପରାଧିମାନଙ୍କୁ ଠାବ କରାଯିବା ସହିତ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି।

Share