ଟ୍ରକ୍‌ ଚାପାରେ ମହିଳାଙ୍କ ମୃତ୍ୟୁ

ଅନୁଗୋଳ, ୧।୫: ଅନୁଗୋଳ ସହର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ବୁଢ଼ୀ ଠାକୁରାଣୀ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଗଣେଶ ରାଉତଙ୍କ ପତ୍ନୀ ଊର୍ମିଳା ରାଉତ। ତାଙ୍କ ଘର ଢେଙ୍କାନାଳ ଜିଲାରେ ହୋଇଥିବା ବେଳେ ଅନୁଗୋଳ ସହର କଲେଜପଡ଼ାରେ ଘରଭଡା ନେଇ ରହୁଥିଲେ । ବୁଢ଼ୀ ଠାକୁରାଣୀ ମନ୍ଦିର ପରିସରରେ ଗଣେଶଙ୍କ ଏକ ଭୋଗ ଦୋକାନ ରହିଛି । ସେ ସକାଳେ ଦୋକାନକୁ ଆସୁଥିବା ବେଳେ ଦୂର୍ଘଟଣାର ଶିକାର ହୋଇଥିଲେ । ମହିଳାଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା । ଫଳରେ ବହୁ ସମୟ ଧରି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । ସୂଚନା ଅନୁସାରେ, ସୋମବାର ସକାଳେ ଉଭୟ ସ୍ବାମୀ ସ୍ତ୍ରୀ ମୋଟରସାଇକେଲ ଯୋଗେ ଦୋକାନ ଖୋଲିବାକୁ ଯାଉଥିଲେ । ବୁଢ଼ୀ ଠାକୁରାଣୀ ଛକ ନିକଟରେ ଭାରସାମ୍ୟ ହରାଇ ଊର୍ମିଳା ବାଇକରୁ ଖସି ପଡ଼ିଥିଲେ । ଏହି ସମୟରେ ପଛରୁ ଆସୁଥିବା ଏକ ଟ୍ରକ୍‌ ତାଙ୍କୁ ଚାପି ଦେଇଥିଲା । ଘଟଣା ସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା ।