ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଆଖୁପଦର ଗ୍ରାମର ଗୀତାଞ୍ଜଳୀ ମୁଳିଙ୍କୁ ତାଙ୍କ ସ୍ବାମୀ ରାଜୁ ମୁଳିି ୨୦୨୩ ମସିହା ମେ ମାସ ୨୭ ତାରିଖ ରାତିରେ ହତ୍ୟା କରିଥିଲେ। ଏହି ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ଭଞ୍ଜନଗର ଏଡିଜେ ଦେବଦତ୍ତ ପଟ୍ଟନାୟକ ୧୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତ ସ୍ବାାମୀ ରାଜୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ଅଧିକ ଏକ ବର୍ଷ କାରାଦଣ୍ଡ ଭୋଗିବେ ଅଭିଯୁକ୍ତ।
୨୧ ମାସ ମଧ୍ୟରେ ଏହି ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି।
ଘଟଣାରୁ ପ୍ରକାଶ ଯେ ଭଞ୍ଜନଗର ସହରତଲି ଛେଦାଭୂମି ଗ୍ରାମର ଜୟନ୍ତୀ ମୁଳିିଙ୍କ ଝିଅ ଗୀତାଞ୍ଜଳୀ ୧୮ ବର୍ଷ ପୂର୍ବେ ଆଖୁପଦର ଗ୍ରାମର ରାଜୁଙ୍କୁ ବିବାହ କରିଥିଲେ। ବିବାହର ୧୦ ବର୍ଷ ପର୍ଯ୍ୟନ୍ତ ସ୍ବାମୀ ସ୍ତ୍ରୀ ଭଲରେ ଚଳିଥିଲେ । ଏଥିସହ ସେମାନଙ୍କର ଗୋଟିଏ ପୁଅ ମଧ୍ୟ ଥିଲା। ପରେ ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥିଲା। ରାଜୁ ମଝିରେ ମଝିରେ ମଦ ପିଇ ସ୍ତ୍ରୀଙ୍କୁ ମାରପିଟ କରୁଥିଲା। ଏଥିସହ କିଛି କାମ କରୁ ନ ଥିବା ଯୋଗୁ ସ୍ତ୍ରୀ ମୂଲଲାଗି ପରିବାର ଚଳାଉଥିଲେ। ରୋଜଗାର ପାଇଁ ପୁଅ ତାମିଲନାଡୁ ଚାଲି ଯାଇଥିଲେ।
ଏହିଭଳି ପରିସ୍ଥିତିରେ ଘଟଣା ଦିନ ରାଜୁ ମଦ ପିଇ ଆସି ସ୍ତ୍ରୀଙ୍କୁ ଟଙ୍କା ମାଗିଥିଲେ ମାର ଶ୍ରାଦ୍ଧ କରିବା ପାଇଁ। କିନ୍ତୁ ଟଙ୍କା ପାଖରେ ନଥିବା ଯୋଗୁ ଗୀତାଞ୍ଜଳୀ ସ୍ବାମୀଙ୍କୁ ଟଙ୍କା ଦେଇପାରି ନ ଥିଲେ। ଫଳରେ ଏଥିରେ ଉତ୍ୟକ୍ତ ହୋଇ ନିଶାସକ୍ତ ଅବସ୍ଥାରେ ରାଜୁ ସ୍ତ୍ରୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲା। ପରେ ଶ୍ୱଶୁର ଘର ପଡ଼ିଶା ଘରକୁ ଫୋନ କରି ରାଜୁ ହତ୍ୟା ସମ୍ପର୍କରେ କହିଥିଲେ । ଏଥିସହ ଘର ସମ୍ମୁଖରେ ବସି ରହିଥିଲେ। ଘଟଣା ସମ୍ପର୍କରେ ଜୟନ୍ତୀ ଜାଣି ଭଞ୍ଜନଗର ଥାନାରେ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ପୋଲିସ ଏ ନେଇ ସେ ସମୟରେ ଏକ ହତ୍ୟା ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଉକ୍ତ ମାମଲାର ରାୟ ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଉଷା କାନ୍ତ ପଟ୍ଟନାୟକ ଏବଂ ମୁଦଲା ପଖ୍ୟରୁ ସନ୍ତୋଷ ପଣ୍ଡା ମାମଲାର ପରିଚାଳନା କରୁଥିଲେ।
