ଭୁଲ୍‌ରେ ଡ୍ରାଇଭରଙ୍କୁ ହତ୍ୟାକଲେ ମହିଳା

ଓ୍ବାଶିଂଟନ୍‌,୨୬ା୬: ଆମେରିକାର ଜଣେ ମହିଳା ଏକ ଉବର କାର୍‌ରେ ଯାଉଥିଲେ। ଡ୍ରାଇଭର ଜଣକ ଅପହରଣ କରି ନେଉଥିବା ସନ୍ଦେହ ହେବାରୁ ସେ ତାଙ୍କୁ ଗୁଳି କରିଥିଲେ। ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବାବେଳେ ଏଲ୍‌ପାସୋ ପୋଲିସ ମହିଳା ଯାତ୍ରୀଙ୍କୁ ଗିରଫ ପରେ ୧.୫ ନିୟୁତ ଡଲାର ମୂଲ୍ୟର ବଣ୍ଡ୍‌ରେ ଛାଡ଼ିଦେଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିବାରୁ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ମହିଳାଙ୍କୁ ପୁଣି ଗିରଫ କରିଛି। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ କେଣ୍ଟୁକି ବାସିନ୍ଦା ୪୮ ବର୍ଷୀୟା ଫୋଏବେ କୋପାସ୍‌ ଟେକ୍ସାସ୍‌ର ଏକ କ୍ୟାସିନୋରେ କାମ କରୁଥିବା ନିଜ ବୟଫ୍ରେଣ୍ଡ୍‌ଙ୍କୁ ଭେଟିବା ପାଇଁ ଯାଉଥିଲେ। ଏଥିପାଇଁ ସେ ଏକ ଉବର କାର୍‌ ଭଡ଼ାରେ ନେଇଥିଲେ। ବାଟରେ ‘ଜୁଆରେଜ୍‌ ମେକ୍ସିକୋ’ ଲେଖାଥିବା ଏକ ସାଇନ୍‌ବୋର୍ଡ ଦେଖି ହଠାତ୍‌ ତାଙ୍କ ମନକୁ ପାପ ଛୁଇଁଥିଲା। ୫୨ ବର୍ଷୀୟ ଡ୍ରାଇଭର ଡାନିଏଲ ପିଏଡ୍ରା ଗାର୍ସିଆ ତାଙ୍କୁ ଅପହରଣ କରି ମେକ୍ସିକୋକୁ ନେଉଥିବା ଭାବି ସେ ନିଜ ବ୍ୟାଗ୍‌ରୁ ବନ୍ଧୁକ କାଢ଼ି ଗୁଳି କରିଥିଲେ। ଗାର୍ସିଆଙ୍କ ମୁଣ୍ଡ ଓ ଅଣ୍ଟାରେ ଗୁଳି ବାଜିବାରୁ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୋଲିସ ସେଠାରେ ପହଞ୍ଚତ୍ବା ପୂର୍ବରୁ ଫୋଏବେ ଦୁର୍ଘଟଣାଗ୍ରସ୍ତ କାର୍‌ ସହ ଡ୍ରାଇଭରଙ୍କ ଫଟୋ ଉଠାଇ ନିଜ ବୟଫ୍ରେଣ୍ଡ୍‌ଙ୍କ ନିକଟକୁ ପଠାଇଥିଲେ। ଗାର୍ସିଆଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ ରଖାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଡ୍ରାଇଭର ପରିବାରର ଜଣେ ମାତ୍ର ଅର୍ଥ ଉପାର୍ଜନକାରୀ ବ୍ୟକ୍ତି ଥିଲେ। ତାଙ୍କ ସ୍ତ୍ରୀ ଆନ୍ନା ପିଏଡ୍ରା ନିଜ ସ୍ବାମୀଙ୍କ ଚିକିତ୍ସା ଖର୍ଚ୍ଚ ଓ ଶେଷକୃତ୍ୟ ପାଇଁ ଅନ୍‌ଲାଇନ୍‌ରେ ଆର୍ଥିକ ସହାୟତା ଲୋଡ଼ିଛନ୍ତି। ସ୍ବାମୀ ଅପରାଧୀ କିମ୍ବା ଅପହରଣକାରୀ ନ ଥିଲେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଫୋଏବ୍‌ଙ୍କ ଏଭଳି କାଣ୍ଡକୁ ନେଇ ଉବର ପ୍ଲାଟ୍‌ଫର୍ମ ଆତଙ୍କିତ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ତାଙ୍କୁ ଉବରରେ ଯାତ୍ରା ପାଇଁ ବାରଣ କରାଯାଇଛି।

Share