ଚମ୍ପୁଆ,୯।୩(ଡି.ଏନ୍.ଏ): ବିଶ୍ୱ ମହିଳା ଦିବସ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ଚମ୍ପୁଆ କୋର୍ଟ ପରିସରରେ ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ। ଦୃଷ୍ଟିଶକ୍ତି ହରାଇଥିବା ୪୨ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କୁ ଜନୈକା ମହିଳା ଜୀବନସାଥୀ ବାଛିଛନ୍ତି। ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଦମ୍ପତି ହେଲେ ସରାସପୋଶି ଗ୍ରାମର ନିରଞ୍ଜନ ମହାନ୍ତ ଓ ଟେରଣ୍ଟି ଗ୍ରାମର ମାଳତୀ ମହାନ୍ତ। ସହକାରୀ ଜିଲାପାଳ ତଥା ସବ୍-ରେଜିଷ୍ଟ୍ରାର ଶ୍ୱେତପଦ୍ମା ଧଳଙ୍କ ନିକଟରେ ନିଜ ଇଚ୍ଛାରେ ବିବାହ କରିଛନ୍ତି ଓ ନିରଞ୍ଜନଙ୍କୁ ଜୀବନ ସାଥୀ ଭାବେ ପାଇ ଖୁସି ଥିବା ମାଳତୀ କହିଛନ୍ତି। ଏ ନେଇ ସବରେଜିଷ୍ଟ୍ରାର ଧଳ କହିଛନ୍ତି, ଆଜି ଆମେ ବହୁତ ଖୁସି ଯେ, ଆମ କାର୍ଯ୍ୟାଳୟରେ ସମସ୍ତଙ୍କ ସହଯୋଗରେ ମାଳତୀ ଓ ଦୃଷ୍ଟିଶକ୍ତି ହରାଇଥିବା ନିରଞ୍ଜନ ମହାନ୍ତଙ୍କ ଭଳି ୨ ପ୍ରାପ୍ତ ବୟସ୍କଙ୍କୁ ବିବାହ କରାଇଛୁ। ଉଭୟଙ୍କ ଦାମ୍ପତ୍ୟ ଜୀବନ ଦୀର୍ଘମୟ ହେଉ ବୋଲି ସେ କାମନା କରିଛନ୍ତି। ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟର ବହୁ କର୍ମଚାରୀ ମାଳତୀଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।