ଉଡନ୍ତା ବିମାନର କବାଟ ଖୋଲୁଥିଲେ ଯାତ୍ରୀ, ତା’ପରେ…

ଓ୍ବାଶିଂଟନ୍‌,୧୩।୭: ପ୍ରାୟ ସମୟରେ ବିମାନର କ୍ର୍ୟୁ ମେମ୍ବର ଓ ଯାତ୍ରୀଙ୍କୁ ନେଇ ଅନେକ ଖବର ସାମ୍ନାକୁ ଆସିଥାଏ। କେତେବେଳେ କ୍ର୍ୟୁ ମେମ୍ବରଙ୍କ ଦୁର୍ବ୍ୟବହାର ତ ଆଉ କେତେବେଳେ ଯାତ୍ରୀଙ୍କ ଅଭଦ୍ରାମୀ ଦେଖିବାକୁ ମିଳିଥାଏ। ଆଉ ଏଥିପାଇଁ ବେଳେ ବେଳେ ଅନ୍ୟମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବିମାନ ଉଡାଣ ପୂର୍ବରୁ କ୍ର୍ୟୁ ମେମ୍ବରମାନେ ଯାତ୍ରୀମାନଙ୍କୁ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ନିୟମାବଳୀ ବିଷୟରେ ଅବଗତ କରାଇଥାନ୍ତି। କିନ୍ତୁ ଏହା ପରେ ବି କେତେକ ଯାତ୍ରୀ ନିଜର କାର୍ଯ୍ୟଶୈଳୀ ଯୋଗୁ ନିଜକୁ ବିପଦରେ ପକାଇବା ସହ ଅନ୍ୟମାନଙ୍କୁ ମଧ୍ୟ ବିପଦରେ ପକାଇଥାନ୍ତି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆମେରିକା ଏୟାରଲାଇନ୍ସର ବିମାନରେ।

ସୂଚନାଯୋଗ୍ୟ, ଟେକ୍ସାସରୁ ନର୍ଥ କାଲିଫର୍ନିଆ ଯାଉଥିବା ବିମାନରେ ଜଣେ ମହିଳା ଯାତ୍ରୀ ଚଳନ୍ତା ବିମାନର ବୋର୍ଡିଂ କବାଟ ଖୋଲିବାକୁ ପ୍ରୟାସ କରିଥିଲେ। ସେହି ସମୟରେ କ୍ର୍ୟୁ ମେମ୍ବର ତାଙ୍କୁ ଯେତେ ବୁଝାସୁଝା କରିଥିଲେ ମଧ୍ୟ ସେ କାହାରି କଥା ଶୁଣି ନ ଥିଲେ। ଏଥିସହ ମହିଳା ଜଣକ ଉତ୍ତ୍ୟକ୍ତ ହୋଇପଡ଼ି ଆକ୍ରମଣାତ୍ମକ ବ୍ୟବହାର କରିଥିଲେ। ଏଥିରେ ଜଣେ କ୍ର୍ୟୁ ମେମ୍ବର ଆହତ ହୋଇଥିବା ଜଣାପଡ଼ିଛି। ଏହାପରେ ମହିଳା ଜଣଙ୍କୁ ଜବରଦସ୍ତି ତାଙ୍କ ସିଟ୍‌ରେ ଏକ ଟେପ୍‌ ଜରିଆରେ ବାନ୍ଧି ଦିଆଯାଇଥିଲା।

ଉକ୍ତ ବିମାନଟି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ସୁରକ୍ଷାକର୍ମୀଙ୍କୁ ସୂଚନା ଦିଆଯାଇଥିଲା। ଏହାପରେ ମହିଳା ଯାତ୍ରୀଙ୍କୁ ଯାଞ୍ଚ ପାଇଁ ହସ୍ପିଟାଲକୁ ନିଆଯାଇଥିଲା ବୋଲି ଆମେରିକା ଏୟାରଲାଇନ୍ସର ମୁଖପାତ୍ର ସୂଚନା ଦେଇଛନ୍ତି। ତେବେ ୩୫ ମିନିଟ୍‌ର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଜୁଲାଇ ୬ରେ ଘଟିଥିବା ବେଳେ ଏହାର ଭିଡିଓକୁ ଜୁଲାଇ ୧୧ରେ ବ୍ରେକିଂ ଏଭିଏସନ୍‌ ନ୍ୟୁଜ ଆଣ୍ଡ ଭିଡିଓ ନାମକ ଟୁଇଟର ପେଜ୍‌ରେ ଅପଲୋଡ କରାଯାଇଥିଲା। ଏହି ଭିଡିଓରେ ଅନେକ ଲୋକ କମେଣ୍ଟ ଦେଇଛନ୍ତି।

Share