Advertisement
Categories: ଜାତୀୟ

ଛାଡ଼ପତ୍ର ନ ଦେବାରୁ ପ୍ରେମୀକଙ୍କୁ ସୁପାରୀ ଦେଇ ସ୍ବାମୀଙ୍କ ହତ୍ୟା କରାଇଲେ ସ୍ତ୍ରୀ

ନୂଆଦିଲ୍ଲୀ,୨।୫: ଦିଲ୍ଲୀର ଗ୍ରେଟର ନୋଏଡା ସ୍ଥିତ ଗୌର ସିଟି-୨ ଗେଲେକ୍ସି ନର୍ଥ ଏଭେନ୍ୟୁରେ ରହୁଥିବା ସେଲ୍ସ ମ୍ୟାନେଜର ରୁପେନ୍ଦ୍ର ଚନ୍ଦେଲଙ୍କ ହତ୍ୟା ଅଭିଯୋଗ ତାଙ୍କ ପତ୍ନୀଙ୍କ ଉପରେ ଥିବା ଜଣାପଡ଼ିଛି। ଛାଡ଼ପତ୍ର ନ ଦେବାରୁ ପତ୍ନୀ ନିଜ ପ୍ରେମୀକଙ୍କୁ ୩ଲକ୍ଷ ଟଙ୍କାର ସୁପାରୀ ଦେଇ ହତ୍ୟା କରାଇଥିବା ପୋଲିସ ସୂଚନା ଦେଇଛି। ବୁଧବାର ତିଗରିରୁ ରୁପେନ୍ଦ୍ରଙ୍କ ପତ୍ନୀ ଅମୃତା ଓ ପ୍ରେମୀକ ଓମବୀର ସମେତ ତାଙ୍କର ଅନ୍ୟସାଥୀଙ୍କୁ ଗିରଫ କରିଛି ନୋଏଡା ପୋଲିସ। ଏଥିସହ ହତ୍ୟାରେ ବ୍ୟବହାର କରାଯାଇଥିବା ଅସ୍ତ୍ରଶସ୍ତ୍ର ଓ ବନ୍ଧୁକକୁ ଜବତ କରିଛି ପୋଲିସ। ସୂଚନାଯୋଗ୍ୟ, ମୁଖ୍ୟ ଅଭିଯୁକ୍ତ ଓମବୀର ଇଣ୍ଟରିୟର ଡିଜାଇନର ଭାବେ କାର୍ଯ୍ୟ କରନ୍ତି। ରୂପେନ୍ଦ୍ର ରହୁଥିବା ସୋସାଇଟିର ୨୦ଟି ଫ୍ଲାଟରେ ଓମବୀର ଇଣ୍ଟରିୟର ଡିଜାଇନ୍‌ କରିଥିଲେ। ସେହି ସମୟରେ ଅମୃତାଙ୍କ ସହ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା। ରୁପେନ୍ଦ୍ରଙ୍କୁ ଏହି କଥା ଜଣାପଡ଼ିବା ପରେ ସେ ତାଙ୍କ ମାଉସୀ ଝିଅ ଭଉଣୀ ସହ ଓମବୀରଙ୍କ ବାହାଘର କରାଇଥିଲେ। ତେବେ ବିବାହର ମାସେ ପରେ ବି ଓମବୀର ଅମୃତାଙ୍କ ସହ ସମ୍ପର୍କ ରଖିଥିଲେ। ଏନେଇ ବହୁଥର ଅମୃତା ଓ ରୁପେନ୍ଦ୍ରଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ବାରମ୍ବାର ଅମୃତା ତାଙ୍କୁ ଛାଡ଼ପତ୍ର ପାଇଁ ଜିଦ୍‌ କରୁଥିବା ବେଳେ ରୁପେନ୍ଦ୍ର କିନ୍ତୁ ରାଜି ହେଉ ନ ଥିଲେ। ଫଳରେ ତାଙ୍କୁ ନିଜ ରାସ୍ତାରୁ ହଟାଇବା ପାଇଁ ଅମୃତା ଏହି ଷଡ଼ଯନ୍ତ୍ର ରଚିଥିଲେ। ରୁପେନ୍ଦ୍ର ଓ ଅମୃତାଙ୍କ ୪ବର୍ଷର ପୁଅ ଥିବା ବେଳେ ସେ ନିଜ ଜେଜେବାପାଙ୍କ ସହ ରହୁଥିବା ଜଣାପଡ଼ିଛି। ଏଥିସହ ରୁପେନ୍ଦ୍ରଙ୍କ ହତ୍ୟା ଦିନ ଅମୃତା ଘରେ ଥିବା ସବୁ ସୁନା ନେଇ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share