ଏସ୍‌ପି ଅଫିସ ଆଗରେ ମହିଳାଙ୍କ ଧାରଣା

ଭଦ୍ରକ ଅଫିସ, ୧୧।୮: ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ସିଜୁଗଡ଼ିଆ (କଟିଣା) ଗ୍ରାମର ସନ୍ତୋଷିନୀ ଯେନା ନାମ୍ନୀ ମହିଳା ଶାଶୁଘର ଲୋକ ତାଙ୍କୁ ନିର୍ଯାତନା ଦେଉଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଥାନା ଏଏସ୍‌ଆଇ ନ୍ୟାୟ ଦେବା ବଦଳରେ ଟାଳଟୁଳ ନୀତି ଅବଲମ୍ବନ କରିବା ସହ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ସେ ବୁଧବାର ଏସ୍‌ପିଙ୍କ ଅଫିସ୍‌ ଆଗରେ ଧାରଣାରେ ବସିଥିଲେ।

ବନ୍ତ ଥାନା ଅଧୀନ ଚଣ୍ଡିପୁର ଗ୍ରାମର ସନ୍ତୋଷିନୀ ସିଜୁଗଡ଼ିଆ(କଟିଣା) ଗ୍ରାମର ଚନ୍ଦ୍ରକାନ୍ତଙ୍କୁ ୨୦୨୧ ଜୁନ୍‌ ୧୨ରେ ବିବାହ କରିଥିଲେ। ବିବାହର କିଛିଦିନ ପରେ ଅଧିକ ଯୌତୁକ ଦାବି କରି ଶାଶୁଘର ଲୋକେ ତାଙ୍କୁ ନିର୍ଯାତନା ଦେବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ସନ୍ତୋଷିନୀ ଏନେଇ ଗତ ଜୁନ୍‌ ୮ରେ ବନ୍ତ ଥାନାରେ ଏତଲା ଦେବା ପରେ ମାମଲା (ନଂ.୯୨/୨୨) ରୁଜୁ କରାଯାଇଥିଲା। ଏଏସ୍‌ଆଇ ମାନସ ପରିଡ଼ା ଏହାର ତଦନ୍ତଭାର ଗ୍ରହଣ କରିଥିଲେ। ମାତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଏଏସ୍‌ଆଇ ପରିଡ଼ା ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଏହାସହ ଶାଶୁଘର ପକ୍ଷ ନେଇ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଓ ଦଫା କୋହଳ କରିବା ନେଇ ସନ୍ତୋଷିନୀ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏସ୍‌ପି ଚରଣ ସିଂ ମୀନା ତାଙ୍କ ସହ ଆଲୋଚନା କରି ଏସ୍‌ଡିପିଓଙ୍କ ଦ୍ୱାରା ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେବା ପରେ ସେ ଧାରଣାରୁ ହଟିଥିଲେ।

ସମ୍ପର୍କରେ ଏଏସ୍‌ଆଇ ପରିଡ଼ା କହିଛନ୍ତି, ଏହି ମାମଲାରେ ଉକ୍ତ ମହିଳାଙ୍କ ସ୍ବାମୀ, ଶାଶୁ ଓ ଶ୍ୱଶୁର ୩ଜଣ ଅଭିଯୁକ୍ତ ଅଛନ୍ତି। ଥାନାଧିକାରୀଙ୍କ ନିର୍ଦ୍ଦେଶାନୁସାରେ ମୋତେ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ଉକ୍ତ ମାମଲାରେ ଅଭିଯୁକ୍ତମାନଙ୍କୁ ଗିରଫ କଲା ଭଳି ଦଫା ନ ଥିବାରୁ କାହାକୁ ଗିରଫ କରାଯାଇ ନାହିଁ। ଏହାବ୍ୟତୀତ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ମିଥ୍ୟା ବୋଲି ସେ କହିଛନ୍ତି।