ମହିଳା ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା

ନରସିଂହପୁର,୨୦ା୧୨(ସ୍ବ.ପ୍ର.):କଟକ ଜିଲା ନରସିଂହପୁର ବ୍ଲକ ବାଲିପୁଟସ୍ଥିତ ମହାନଦୀ କୂଳରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଖୋଲାଯାଇଥିବା ସାତକୋଶିଆ ଇକୋ ରିଟ୍ରିଟ କେନ୍ଦ୍ରରେ ନିୟୋଜିତ ଜଣେ ମହିଳା ସିକ୍ୟୁରିଟି ଗାର୍ଡଙ୍କୁ ଶୁକ୍ରବାର ପୂର୍ବାହ୍ନରେ ହତ୍ୟା କରାଯାଇଛି। ସେ ହେଲେ ନିକଟସ୍ଥ କାନପୁର ଥାନା ଅଧୀନ ଜଳକେଳି ଗ୍ରାମର ମିଲି ନାଏକ (୩୨)। ସେ ବିବାହିତା ଏବଂ ଏକ ଠିକାସଂସ୍ଥା ଦ୍ୱାରା ଇକୋ ରିଟ୍ରିଟ୍‌ କେନ୍ଦ୍ରରେ ନିୟୋଜିତ ଥିଲେ। ପ୍ରେମ ବ୍ୟାପାରକୁ ନେଇ ନରସିଂହପୁର ଥାନା ଅଧୀନ କାଠଖୁଣ୍ଟ ଗ୍ରାମର ଜଗା ନାଏକ (୨୮) ମିଲିଙ୍କୁ ହତ୍ୟା କରିଥିବା ଯୋଡୁମୁ ଫାଣ୍ଡି ଅଧିକାରୀ ରବୀନ୍ଦ୍ର କୁମାର ସେଠୀ କହିଛନ୍ତି।
ସୂଚନା ମୁତାବକ, ମିଲି ଶୁକ୍ରବାର ସକାଳେ ଇକୋ ରିଟ୍ରିଟ୍‌ କେନ୍ଦ୍ରରେ ଡ୍ୟୁଟି କରୁଥିଲେ। ଏହି ସମୟରେ ଜଗା ସେଠାରେ ପହଞ୍ଚତ୍ କିଛି ସମୟ କଥାବାର୍ତ୍ତା କରିଥିଲେ। ଏହାପରେ ହଠାତ୍‌ ଲୁଚାଇ ରଖିଥିବା ଏକ କଟୁରିରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ପଳାଇ ଯାଇଥିଲେ। ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଥିବାରୁ ସେ ରକ୍ତ ଜୁଡ଼ୁବୁଡ଼ୁ ହୋଇଯାଇଥିଲେ। ଇକୋ ରିଟ୍ରିଟ୍‌ କର୍ମଚାରୀ ଏବଂ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ଯୋଡ଼ୁମୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନରସିଂହପୁର ହସ୍ପିଟାଲକୁ ପଠାଯାଇଥିଲା। ହେଲେ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିବାରୁ ତାଙ୍କୁ କଟକ ବଡ଼ମେଡିକାଲକୁ ପଠାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମିଲିଙ୍କ ମୃତ୍ୟୁ ଘଟିଛି। ଏନେଇ ଇକୋ ରିଟ୍ରିଟ୍‌ର ପରିଚାଳକଙ୍କ ଏତଲା ଅନୁଯାୟୀ, ନରସିଂହପୁର ଥାନାରେ ୨୮୩/୨୨ ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି। ଏହି ଥାନା ଅଧୀନ ଯୋଡ଼ୁମୁ ଫାଣ୍ଡି ଅଧିକାରୀ ସେଠୀ କହିଛନ୍ତି, ଅଭିଯୁକ୍ତ ଜଗା ନାଏକଙ୍କୁ ଅଟକ ରଖାଯାଇ ତଦନ୍ତ କରାଯାଉଛି। ପ୍ରେମ ବ୍ୟାପାରକୁ ନେଇ ମିଲିଙ୍କୁ ହତ୍ୟା କରିଛି ବୋଲି ଜଗା ସ୍ବୀକାର କରିଥିବା ଫାଣ୍ଡି ଅଧିକାରୀ ସେଠୀ କହିଛନ୍ତି।

Share