Categories: ଜାତୀୟ

ଚଳନ୍ତା ଆମ୍ବୁଲାନ୍ସରେ ମହିଳାଙ୍କୁ ଯୌନ ଉତ୍ପୀଡନ: ଅସୁସ୍ଥ ସ୍ବାମୀ ବିରୋଧ କରିବାରୁ କାଡିଦେଲେ ଅକ୍ସିଜେନ୍‌: ଆଉ ତା’ପରେ…

ଲକ୍ଷ୍ନୌ, ୬।୯:ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ଏକ ଲଜ୍ଜାକର ଘଟଣା ସାମ୍‌ନାକୁ ଆସିଛି। ଏକ ଚଳନ୍ତା ଆମ୍ବୁଲାନ୍ସରେ ଅସୁସ୍ଥ ସ୍ବାମୀଙ୍କ ସମ୍ମୁଖରେ ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଛି। ଆମ୍ବୁଲାନ୍ସରେ ମହିଳା ଜଣକ ଅସୁସ୍ଥ ସ୍ବାମୀଙ୍କୁ ନେଇ ଲକ୍ଷ୍ନୌରୁ ସିଦ୍ଧାର୍ଥନଗର ଜିଲାସ୍ଥିତ ନିଜ ଗ୍ରାମକୁ ଫେରୁଥିଲେ। ସ୍ବାମୀ ସ୍ନାୟୁଗତ ସମସ୍ୟାରେ ପୀଡ଼ିତ ଥିଲେ। ଚିକିତ୍ସା ଖର୍ଚ୍ଚ ବହନ କରି ନ ପାରି ତାଙ୍କୁ ଡିସ୍‌ଚାର୍ଜ କରିବାକୁ ମହିଳା ଜଣକ ଡାକ୍ତରଙ୍କୁ କହିଥିଲେ। ପରେ ହସ୍ପିଟାଲର ଆମ୍ବୁଲାନ୍ସରେ ସ୍ବାମୀଙ୍କୁ ଧରି ସେ ଗ୍ରାମକୁ ଫେରୁଥିଲେ। ଆମ୍ବୁଲାନ୍ସରେ ଡ୍ରାଇଭର ଓ ତାଙ୍କ ସହକର୍ମୀ ମହିଳାଙ୍କୁ ଅସଦାଚରଣ କରିବା ସହ ଯୌନ ନିର୍ଯାତନା ଦେଇଥିଲେ। ଅସୁସ୍ଥ ସ୍ବାମୀ ବିରୋଧ କରିବାରୁ ଡ୍ରାଇଭର ଥାବ୍‌ନୀ ଥାନାର ମୁଖ୍ୟ ସଡ଼କରେ ଆମ୍ବୁଲାନ୍ସକୁ ରଖିଥିଲେ। ତାଙ୍କ ସହଯୋଗୀ ମହିଳାଙ୍କ ସ୍ବାମୀଙ୍କ ଅକ୍ସିଜେନ ମାସ୍କ ବାହାର କରି ଫିଙ୍ଗି ଦେଇଥିଲେ। ଏହାପରେ ସେ ତାଙ୍କୁ ଆମ୍ବୁଲାନ୍ସ ମଧ୍ୟରୁ ବାହାର କରିଦେଇଥିବା ନେଇ ମହିଳା ଅଭିଯୋଗ କରିଛନ୍ତି। ଡ୍ରାଇଭର ଓ ତାଙ୍କ ସହକର୍ମୀ ମହିଳାଙ୍କଠାରୁ ପର୍ସ, ଆଧାର କାର୍ଡ, ମଙ୍ଗଳସୂତ୍ର ଓ ୧୦ ହଜାର ଟଙ୍କା ଲୁଟିବା ସହ ତାଙ୍କୁ ମଧ୍ୟ କିଛି ସମୟ ପରେ ଆମ୍ବୁଲାନ୍ସରୁ ବାହାର କରି ଫେରାର ହୋଇଯାଇଥିଲେ। ଦୀର୍ଘ ସମୟ ଧରି ଅକ୍ସିଜେନ ମାସ୍କ ପିନ୍ଧି ନ ଥିବା କାରଣରୁ ମହିଳାଙ୍କ ସ୍ବାମୀଙ୍କର ମୃତ୍ୟୁ ଘଟିଥିଲା।

Share