Categories: ଜାତୀୟ

ପ୍ରତିବାଦ କରିବାରୁ ମହିଳାଙ୍କୁ କଟରରେ ଆକ୍ରମଣ: ପୀଡ଼ିତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୋପାଳ, ୧୩ା୬: ମଧ୍ୟପ୍ରଦେଶର ଜଣେ ମହିଳାଙ୍କୁ କେତେଜଣ ଅସଦାଚରଣ ସହ ଯୌନ ନିର୍ଯାତନା ଦେବାକୁ ଉଦ୍ୟମ କରିବା ବେଳେ ପ୍ରତିବାଦ ଯୋଗୁ ଅଭିଯୁକ୍ତମାନେ ପେପର କଟରରେ ତାଙ୍କ ମୁହଁକୁ ଆକ୍ରମଣ କରିଛନ୍ତି। ଫଳରେ ପୀଡ଼ିତାଙ୍କ ମୁହଁରେ ୧୧୮ ଷ୍ଟିଚ୍‌ କରାଯାଇଛି।

ପୋଲିସ ସୂଚନା ମୁତାବକ, ଭୋପାଳର ଟିଟିନଗରରେ ଶୁକ୍ରବାର ଏହି ଘଟଣା ଘଟିଛି। ମହିଳା ଜଣକ ସ୍ବାମୀଙ୍କ ସହ ଏକ ହୋଟେଲକୁ ଯାଇଥିଲେ। ସେଠାରେ ବାଇକ୍‌ ପାର୍କିଂକୁ କେନ୍ଦ୍ରକରି ୩ ଜଣଙ୍କ ସହ ପାଟିତୁଣ୍ଡ ହୋଇଥିଲା। ପରେ ସେମାନେ ମହିଳାଙ୍କୁ ଅଶ୍ଳୀଳ କମେଣ୍ଟ କରିବା ସହ ଅସଦାଚରଣ କରିଥିଲେ। ପ୍ରତିବାଦରେ ମହିଳା ଜଣକ ଜଣେ ଅଭିଯୁକ୍ତଙ୍କୁ ଚାପୁଡ଼ା ମାରିଥିଲେ। କିଛି ସମୟ ପରେ ଦମ୍ପତି ହୋଟେଲ ବାହାରକୁ ଆସିବା ପରେ ପୂର୍ବରୁ ଜଗି ରହିଥିବା ଅଭିଯୁକ୍ତମାନେ ମହିଳାଙ୍କ ମୁହଁକୁ କଟରରେ ଆକ୍ରମଣ କରିଥିଲେ। ଘଟଣାରେ ବାଦଶାହା ବେଗ୍‌ ଏବଂ ଅଜୟ ଓରଫ୍‌ ବିଟ୍ଟି ସିବ୍‌ଦେଙ୍କୁ ଗିରଫ କରାଯାଇଛି। ପୋଲିସ ଅନ୍ୟ ଜଣଙ୍କୁ ଗିରଫ ପାଇଁ ତନାଘନା ଚଳାଇଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରବିବାର ପୀଡ଼ିତାଙ୍କୁ ଭେଟି ତାଙ୍କର ସାହସିକତା ପାଇଁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଦେଇଛନ୍ତି। ଏପରିକି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share