ହତ୍ୟାକାରୀଙ୍କୁ ଗିରଫ ଦାବିରେ ଥାନା ଘେରିଲେ ମହିଳା

ସୁନ୍ଦରଗଡ,୧।୫(ଡି.ଏନ୍‌.ଏ.): ସୁନ୍ଦରଗଡ ସରକାରୀ କଲେଜ ରୋଡରେ ଶୁକ୍ରବାର ରାତିରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରବିବାର ମହନ୍ତିଆ ପଡାର ମହିଳାମାନେ ଏକାଠି ହୋଇ ଟାଉନ ଥାନା ଘେରାଉ କରିଥିଲେ।

ଗୁଳିକାଣ୍ଡରେ ମହନ୍ତିଆପଡ଼ାର ମୁରାରୀ ତନ୍ତୀଙ୍କ ମୃତ୍ୟୁ ଘଟିଥିଲା। ମୁରାରୀ କାରରୁ ଓହ୍ଲାଇ ଯାଉଥିଲା ବେଳେ ମୁଖା ପିନ୍ଧା ୨ଜଣ ଯୁବକ ବାଇକରେ ଆସି ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଫୁଟାଇଥିଲେ। ଫଳରେ ତାଙ୍କ ଦେହରେ ଗୁଳିବାଜି ଥିଲା। ଖବର ପାଇ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣାରେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଜାରି ରଖିଛି। ହେଲେ ଘଟଣାର ୩ ଦିନ ପରେ ମଧ୍ୟ ପୋଲିସ କାହିଁକି ଅଭିଯୁକ୍ତଙ୍କୁ ଗିରଫ କରି ନାହିଁ ବୋଲି ମହିଳାମାନେ ପ୍ରଶ୍ନ କରିଛନ୍ତି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ଦାବିରେ ମହିଳାମାନେ ଟାଉନ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ତଦନ୍ତ ଚାଲିଛି, ଖୁବ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Share