Categories: ଫୁରସତ

ଛେଳି ପାଇଁ ଟିକେଟ କିଣି ଟ୍ରେନ୍‌ରେ ଯାତ୍ରା କରୁଥିଲେ ମହିଳା, ଟିଟିଇଙ୍କୁ ଦେଲେ ଆଶ୍ଚର୍ଯ୍ୟଜନକ ଉତ୍ତର…

ଜଣେ ମହିଳା ଯାତ୍ରୀ ଛେଳି ସହିତ ଟ୍ରେନରେ ଯାତ୍ରା କରୁଥିବା ଏକ ଭିଡିଓ ସୋସିଆଲ ମିଡିଆ ‘X’ (ପୂର୍ବରୁ ଟୁଇଟର)ରେ ଭାଇରାଲ ହେବାରେ ଲାଗିଛି। ଏହି କ୍ଲିପ୍‌ରେ ସେ ଟିଟିଇଙ୍କ ସହିତ କଥା ହେଉଥିବା ଦେଖିବାକୁ ମିଳିଛି। ଟିଟିଇ ଛେଳିକୁ ଦେଖି ମହିଳାଙ୍କୁ ପ୍ରଶ୍ନ କରିଥିଲେ ଛେଳି ପାଇଁ ଟିକେଟ କରିଛ? ଆପଣ ଭାବୁଥିବେ ଏହା କ’ଣ ପ୍ରକୃତରେ ସମ୍ଭବ? ଆଜ୍ଞା ହଁ ମହିଳା ଜଣକ ଛେଳି ପାଇଁ ମଧ୍ୟ ଟିକେଟ କରିଛନ୍ତି।

ଭାଇରାଲ ଭିଡିଓରେ ଆଇଆରସିଟିସି ଅଧିକାରୀ କୁହନ୍ତି, ଛେଳିର ଟିକେଟ ମଧ୍ୟ ଦିଅ। ମହିଳା ଜଣକ ଆତ୍ମବିଶ୍ୱାସର ସହ କହିଛନ୍ତି ଯେ, ସେ ଛେଳି ପାଇଁ ମଧ୍ୟ ଟିକେଟ କରିଛନ୍ତି। ସେ ତାଙ୍କ ସହ-ଯାତ୍ରୀଙ୍କୁ ଟିକେଟ ବାହାର କରି ଟିଟିଇଙ୍କୁ ଦେଖାଇବାକୁ କହୁଛନ୍ତି। ସେ କହିଛନ୍ତି, ଆମେ ତିନିଜଣଙ୍କ ପାଇଁ ଟିକେଟ କରିଛୁ। ମହିଳା, ତାଙ୍କ ସ୍ବାମୀ ଏବଂ ଛେଳି। ହୃଦୟ ଖୋଲା ହସ ହସ ମୁହଁରେ ସେ କୁହନ୍ତି, ହଁ, ଆମର ଛେଳି ପାଇଁ ମଧ୍ୟ ଏକ ଟିକେଟ ଅଛି।

ଭିଡିଓ ଭାଇରାଲ ପରେ ୟୁଜରମାନେ ହୃଦୟକୁ ଛୁଇଁଲା ପରି ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଛେଳି କେବଳ ତାଙ୍କ ପାଇଁ ପୋଷା ପ୍ରାଣୀ ନୁହେଁ, ଏହା ତାଙ୍କ ପରିବାରର ଏକ ଅଂଶ ଏବଂ କେମିତି ପରିବାରର ସଦସ୍ୟଙ୍କୁ ବାଦ୍‌ ଦେବେ? ସେମାନଙ୍କୁ ସମାନ ଭାବରେ ବିଚାର କରନ୍ତୁ। ତାଙ୍କଠାରୁ ବହୁତ କିଛି ଶିଖିବାକୁ ଅଛି। ଅନ୍ୟ ଜଣେ ୟୁଜର କହିଛନ୍ତି, ସୁନ୍ଦର ମାନସିକତା ଏବଂ ବଡ଼ ହୃଦୟ। ଆଉ ଜଣେ କହିଛନ୍ତି, ତାଙ୍କ ହସ କହୁଛି ସେ କେତେ ବିବେକବାନ। ଅନ୍ୟ ଜଣେ କହିଛନ୍ତି, ‘ଏହିପରି ଲୋକମାନେ ଏହି ଦେଶର ଗର୍ବ। ସରଳ, ସଚ୍ଚୋଟ ଭାରତୀୟ।’

Share