Categories: ଜାତୀୟ

ପୁଅ ଆଖିରେ ଲଙ୍କା ଗୁଣ୍ଡ ପୂରାଇ ଦେଲେ ମା’

ହାଇଦ୍ରାବାଦ,୬।୪: ଜଣେ ମହିଳା ତାଙ୍କ ୧୬ ବର୍ଷୀୟ ନାବାଳକ ପୁଅଙ୍କୁ ଏକ ଖୁଣ୍ଟରେ ବାନ୍ଧି ତାଙ୍କ ଆଖିରେ ଲଙ୍କା ଗୁଣ୍ଡ ପୂରାଇ ଦେଇଛନ୍ତି। ତେବେ ଅନେକ ଦିନ ଧରି ଘରୁକୁ ନ ଆସିବା ଏବଂ ଗଞ୍ଜେଇ ନିଶା ଛଡ଼ାଇବା ପାଇଁ ମହିଳା ଜଣଙ୍କ ପୁଅକୁ ଏଭଳି ଦଣ୍ଡ ଦେଇଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ତେଲେଙ୍ଗାନାର ସୂର୍ଯ୍ୟପେଟ ଜିଲାର କୋଡାଡ୍‌ ସହରରେ ସୋମବାର ଘଟିଥିବା ଘଟଣାର ଭିଡିଓ ଭାଇରାଲ ହୋଇଯାଇଛି। ଭିଡିଓରେ ମହିଳା ଜଣଙ୍କ ପୁଅ ମୁହଁରେ ଲଙ୍କା ଗୁଣ୍ଡ ବୋଳୁଥିବା ବେଳେ ଅନ୍ୟ ଜଣେ ମହିଳା ପୀଡ଼ିତଙ୍କ ହାତକୁ ଧରି ରଖିଥିବା ଦେଖିବାକୁ ମିଳୁଛି। ତା’ ପରେ ନାବାଳକ ଜଣଙ୍କ ଚିତ୍କାର କରିଥିଲେ ମଧ୍ୟ ମହିଳା ଜଣଙ୍କ ଶୁଣି ନ ଥିଲେ। ଶେଷରେ ନିଶା ଛାଡ଼ିବା ପ୍ରତିଶ୍ରୁତି ଦେବା ପରେ ନାବାଳକଙ୍କୁ ମୁକ୍ତ କରାଯାଇଥିଲା।

ଏହି ଘଟଣାକୁ ସୋସିଆଲ ମିଡିଆରେ ଏକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗଞ୍ଜେଇ ନିଶା ଛଡ଼ାଇବା ପାଇଁ ଏହାକୁ ଶ୍ରେଷ୍ଠ ଭାରତୀୟ ଉପଚାର ବୋଲି କହି ଅନେକ ୟୁଜର ମହିଳାଙ୍କୁ ପ୍ରଶଂସା କରିଛନ୍ତି। ଅନ୍ୟ କିଛି ୟୁଜର ଏହା ବିପଦଜନକ ହୋଇପାରେ ବୋଲି ମତ ରଖିଛନ୍ତି। ତେବେ ଘଟଣା ପରେ ପୋଲିସ ମହିଳା, ତାଙ୍କ ସ୍ବାମୀ ଏବଂ ସେମାନଙ୍କ ପୁଅ ସହ ଏଭଳି ନ କରି ଡାକ୍ତର କିମ୍ବା ସାଇକୋଲୋଜିଷ୍ଟଙ୍କୁ ପରାମର୍ଶ କରିବାକୁ ପୋଲିସ ପକ୍ଷରୁ କୁହାଯାଇଛି।

Share