ତାଲିବାନ୍‌ ବିରୋଧରେ ଅସ୍ତ୍ର ଧରିଲେ ମହିଳା

କାବୁଲ, ୧୧।୭(ଆଇଏଏନ୍‌ଏସ୍‌): ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ତାଲିବାନ ଆତଙ୍କବାଦୀମାନେ ଅଧିକ ଆକ୍ରମଣାତ୍ମକ ହୋଇପଡ଼ିଛନ୍ତି। ସେମାନେ ଦେଶର ୮୫ ପ୍ରତିଶତ ଅଞ୍ଚଳ ଦଖଲ କରିସାରିଲେଣି ବୋଲି ଦାବି କରିଛନ୍ତି। ଉତ୍ତର ଓ କେନ୍ଦ୍ରୀୟ ଆଫଗାନିସ୍ତାନରେ ତାଲିବାନର ମୁକାବିଲା ପାଇଁ ମହିଳାମାନେ ବନ୍ଧୁକ ଉଠାଇଛନ୍ତି। ହଜାର ହଜାର ସଂଖ୍ୟାରେ ସଶସ୍ତ୍ର ମହିଳା ରାସ୍ତାକୁ ଓହ୍ଲାଇ ପ୍ରତିବାଦ ଜଣାଇଛନ୍ତି। କେନ୍ଦ୍ରୀୟ ଘୋର ପ୍ରଦେଶରେ ତାଲିବାନ ବିରୋଧରେ ସବୁଠୁ ବଡ଼ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ମହିଳାମାନେ ବନ୍ଧୁକ ହଲାଇ ଏବଂ ତାଲିବାନ ବିରୋଧୀ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ବାହାରିଥିଲେ। ତେବେ ସାମାଜିକ ରକ୍ଷଣଶୀଳବାଦ ଏବଂ ଅଭିଜ୍ଞତା ଅଭାବରୁ ସେମାନେ ଏତେଶୀଘ୍ର ତାଲିବାନ ବିରୋଧୀ ଲଢ଼େଇରେ ସାମିଲ ହୋଇ ନ ପାରନ୍ତି ବୋଲି କୁହାଯାଉଛି। ଆଫଗାନିସ୍ତାନ ଶାସନକୁ ନିୟନ୍ତ୍ରଣ କରିବା ପାଇଁ ଆତଙ୍କବାଦୀଙ୍କ ଉଦ୍ୟମ ବିରୋଧରେ ସେମାନେ ଚେତାବନୀ ଦେଇପାରିଛନ୍ତି। ସେମାନେ କେବଳ ସୁରକ୍ଷା ବଳକୁ ଅନୁପ୍ରାଣିତ କରିନାହାନ୍ତି, ଆବଶ୍ୟକ ପଡିଲେ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇବା ପାଇଁ ଅନେକ ମହିଳା ପ୍ରସ୍ତୁତ ଥିବା ଘୋର ମହିଳା ନିର୍ଦ୍ଦେଶାଳୟ ମୁଖ୍ୟ ହାଲିମା ପାରାସ୍ତିଶ କହିଛନ୍ତି। ଯୁଦ୍ଧ କରିବା ଲାଗି ଆମେ ପ୍ରସ୍ତୁତ ବୋଲି ସେ ସରକାରଙ୍କୁ ଜଣାଇଛନ୍ତି।

ଶାନ୍ତି ପାଇଁ ଭାରତ, ରୁଷିଆ ଏକାଠି କାର୍ଯ୍ୟ କରିବେ

ଆଫଗାନିସ୍ତାନରେ ଶାନ୍ତି, ସ୍ଥିରତା ସମେତ ଉକ୍ତ ଅଞ୍ଚଳର ସୁରକ୍ଷା ପାଇଁ ଭାରତ ଓ ରୁଷିଆ ଏକାଠି କାର୍ଯ୍ୟ କରିବା ଗୁରୁତ୍ୱପୂର୍ଣ୍ଣ। ମସ୍କୋ ଗସ୍ତରେ ଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ତାଙ୍କ ରୁଷିଆ ପ୍ରତିପକ୍ଷ ସେର୍ଗେ ଲାଭ୍‌ରୋଭ୍‌ଙ୍କ ମଧ୍ୟରେ ବୈଠକ ପରେ ଏକ ମିଳିତ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଗତ ଏପ୍ରିଲରେ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ନୂଆଦିଲ୍ଲୀ ଗସ୍ତରେ ଆସିଥିଲେ। ରୁଷିଆ ଉପପ୍ରଧାନମନ୍ତ୍ରୀ ୟୁରି ବୋରିସୋଭଙ୍କ ସହ ଜୟଶଙ୍କରଙ୍କର ଗୁରୁବାର ବୈଠକ ଅନୁଷ୍ଠିତ ହୋଇଥିଲା।

Share