Categories: ଜାତୀୟ

ରେଳମନ୍ତ୍ରୀଙ୍କୁ ଟୁଇଟ୍ ପରେ ୨୩ ମିନିଟ ମଧ୍ୟରେ ଟ୍ରେନ୍‌ରେ ମିଳିଲା ଭୋକିଲା ଶିଶୁ ପାଇଁ କ୍ଷୀର

କାନପୁର,୧୮ ।୧: ଲୋକମାନ୍ୟ ତିଲକ ଟର୍ମିନାଲରୁ ସୁଲତାନପୁର ଯାଉଥିବା ଏଲଟିଟି ଏକ୍ସପ୍ରେସର ଏସି ଥ୍ରି କୋଚରେ ଯାତ୍ରା କରୁଥିଲେ ଅଞ୍ଜଳୀ ତିୱାରୀ । ଅଧାବାଟରେ ତାଙ୍କ ୮ ମାସର ଶିଶୁ ଭୋକରେ କାନ୍ଦିବାକୁ ଲାଗିଥିଲା । ସତଚେଷ୍ଟା ପରେ ବି ଶିଶୁଟିର କାନ୍ଦ ବନ୍ଦ ହୋଇ ନ ଥିଲା । ଏହାପରେ ଅଞ୍ଜଳୀ ଘରଲୋକଙ୍କ ସହ କଥା ହୋଇ ଏ ନେଇ ରେଳମନ୍ତ୍ରୀଙ୍କୁ ଟୁଇଟ୍ କରିଥିଲେ । ଏହାପରେ ମାତ୍ର ୨୩ ମିନିଟ ମଧ୍ୟରେ ଟ୍ରେନ୍ ଭିତରେ ଭୋକିଲା ଶିଶୁପାଇଁ କ୍ଷୀର ପହଞ୍ଚି ଯାଇଥିଲା । ଏ ନେଇ ମହିଳା ଜଣକ ରେଲୱେ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
ସୂଚନା ମୁତାବକ, ଅଞ୍ଜଳୀ ନିଜର ଦୁଇ ଶିଶୁଙ୍କ ସହ ଏଲଟିଟି ଏକ୍ସପ୍ରେସ ଯୋଗେ ଘରକୁ ଫେରୁଥିଲେ । ଟ୍ରେନଟି ୨ଟା ୩୦ରେ ଭିମସେନ ଷ୍ଟେଶନ ପହଞ୍ଚିବାର ଥିଲା । ହେଲେ ଏଥିରେ ସାମାନ୍ୟ ବିଳମ୍ବ ହୋଇଯାଇଥିଲା ଓ ଅଞ୍ଜଳୀଙ୍କ ୮ ମାସର ଶିଶୁ ଭୋକରେ କାନ୍ଦିବାକୁ ଲାଗିଥିଲା । ଏହାପରେ ମହିଳା ଜଣଙ୍କ ରେଲମନ୍ତ୍ରୀଙ୍କୁ ଏସମ୍ପର୍କରେ ଜଣାଇବାରୁ ରେଲୱେ ପ୍ରଶାସନ ସକ୍ରିୟ ହୋଇଉଠିଥିଲେ । କାନପୁର ସେଣ୍ଟ୍ରାଲର ଡେପୁଟି ସିଟିଏମ ହିମାଂଶୁ ଶେଖର ଉପାଧ୍ୟାୟଙ୍କ ନିର୍ଦ୍ଦେଶରେ ଏସିଏମ ସନ୍ତୋଷ ତ୍ରିପାଠୀ ଶିଶୁଟି ପାଇଁ କ୍ଷୀର ଯୋଗାଡ କରିଦେଇଥିଲେ । କାନପୁର ସେଣ୍ଟ୍ରାଲର ପ୍ଲାଟଫର୍ମ ନମ୍ବର ୯ରେ ଟ୍ରେନ୍ ଦିନ ୩ଟା ୧୫ରେ ପହଞ୍ଚିବା ପରେ କୋଚ ଭିତରେ ଶିଶୁଟି ପାଇଁ କ୍ଷୀର ପହଞ୍ଚିଯାଇଥିଲା ।

Share