ଚଣ୍ଡିଗଡ଼, ୩ା୯: ହରିୟାଣାର ଫରିଦାବାଦ୍ରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ବଳାତ୍କାର ଉଦ୍ୟମ କରୁଥିବା ଅଭିଯୁକ୍ତଙ୍କୁ ପ୍ରତିରୋଧ କରିବାରୁ ଜଣେ ୩୦ ବର୍ଷୀୟା ମହିଳାଙ୍କୁ ଚଳନ୍ତା ଟ୍ରେନ୍ରୁ ଫିଙ୍ଗି ହତ୍ୟା କରାଯାଇଛି। ମହିଳାଙ୍କ ସାଙ୍ଗରେ ତାଙ୍କର ୯ ବର୍ଷୀୟ ପୁଅ ଥିଲେ। ମା’ଙ୍କୁ ଜଣେ ନିଶାସକ୍ତ ବ୍ୟକ୍ତି ଟ୍ରେନ୍ରୁ ଠେଲିଦେବା ପରେ ସେ କୋଚ୍ରେ ଏକୁଟିଆ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ତୋହନା ଷ୍ଟେଶନରେ ସ୍ତ୍ରୀଙ୍କୁ ଅପେକ୍ଷା କରିଥିବା ସ୍ବାମୀ ଟ୍ରେନ୍ରେ କେବଳ ପୁଅଙ୍କୁ ଦେଖିବାକୁ ପାଇଥିଲେ। ପୁଅଠାରୁ ଘଟଣା ଜାଣିବା ପରେ ସେ ପୋଲିସକୁ ସୂଚନା ଦେଇଥିଲେ।
ରାତିରେ ମହିଳା ଜଣଙ୍କ ଯାତ୍ରା କରୁଥିବା କୋଚ୍ରେ କେବଳ ଅଭିଯୁକ୍ତ ସନ୍ଦୀପ(୨୭), ସେ ଏବଂ ତାଙ୍କ ପୁଅ ଥିଲେ। କେହି ନ ଥିବାର ସୁଯୋଗ ନେଇ ସନ୍ଦୀପ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ମହିଳା ଜଣକ ଏହାକୁ ପ୍ରତିରୋଧ କରିଥିଲେ। ନିଶାସକ୍ତ ଅବସ୍ଥାରେ ସନ୍ଦୀପ ମହିଳାଙ୍କୁ ଜବରଦସ୍ତି ଟାଣି ନେଇ ବାହାରକୁ ଫିଙ୍ଗି ଦେଇଥିଲେ। ପରେ ନିଜେ ଟ୍ରେନ୍ରୁ ଡେଇଁ ଖସିଯିବାକୁ ଉଦ୍ୟମ କରିଥିଲେ। ଟ୍ରେନ୍ରୁ ଡେଇଁ ସେ ଆହତ ହୋଇଛନ୍ତି। ତାଙ୍କୁ ପୋଲିସ ଗିରଫ ପରେ ଡାକ୍ତରଖାନାରେ ଭର୍ତ୍ତି କରିଛି। ମହିଳା ଜଣକ ହରିୟାଣାର ରୋହତକ୍ରେ ରହୁଥିବାବେଳେ ଗୁରୁବାର ରାତିରେ ୧୪୫ କି.ମି. ଦୂର ତୋହନାକୁ ପୁଅ ସହ ଟ୍ରେନ୍ରେ ଆସୁଥିଲେ। ୨୦ କି.ମି. ଦୂରରେ ଥିବାବେଳେ ସେ ସ୍ବାମୀଙ୍କୁ ଫୋନ୍ କରିଥିଲେ। ଘଟଣା ପରେ ମହିଳାଙ୍କ ପରିବାର ଲୋକେ ରେଲ୍ଓ୍ବେ ଟ୍ରାକ୍ରେ ରାତିସାରା ଖୋଜାଖୋଜି କରିଥିଲେ। ସକାଳେ ତାଙ୍କ ମୃତଦେହ ମିଳିଥିଲା।