ମୋଣ୍ଟଗୋମେରୀ, ୧୨।୯: ଆପରାଧୀକ ମାମଲାରେ ଯେଉଁ ପୋଲିସ ଅଧିକାରୀ ଗିରଫ କରିଥିଲେ ତାଙ୍କ ପ୍ରତି ଜଣେ ମହିଳା ଦୟା ଦେଖାଇଛନ୍ତି। ମହିଳା ଜଣକ ନିଜ କିଡ୍ନୀ ପୋଲିସ ଅଧିକାରୀଙ୍କୁ ଦେଇଛନ୍ତି। ଏଭଳି ଘଟଣା ଆମେରିକାର ଦକ୍ଷିଣ ପଶ୍ଚିମ ରାଜ୍ୟ ଆଲବାମାରେ ଘଟିଛି। ୪୦ ବର୍ଷ ବୟସ୍କା ମହିଳା ଜୋସେଲାୟନ୍ ଜେମ୍ସ୍ ଡ୍ରଗ୍ସ୍ ଚୋରା କାରବାର ମାମଲାରେ ଗିରଫ ହେଇଛନ୍ତି। ତାଙ୍କୁ ବହୁଥର ପୋଲିସ ଅଧିକାରୀ ଟେରେଲ ପୋଟର ଗିରଫ କରିଥିଲେ। ତେବେ ପୋଟରଙ୍କ କିଡ୍ନୀ ଅକାମୀ ହୋଇଯାଇଥିବା ଖବର ପାଇଁ ଜୋସେଲାୟନ୍ ହସ୍ପିଟାଲରେ ପହଞ୍ଚ ନିଜ କିଡ୍ନୀ ଦାନ କରିଛନ୍ତି। ଗଣମାଧ୍ୟମ ସଂସ୍ଥା ଫକ୍ସ୍ ନିୟୁଜ୍ ଅନୁସାରେ ୨୦୦୭ରୁ ୨୦୧୨ ମଧ୍ୟରେ ଜୋସେଲାୟନ୍ ୧୬ ଥର ଗିରଫ ହୋଇଥିଲେ। ବର୍ଷେ ତଳେ ଜୋସେଲାୟନ୍ଙ୍କୁ ପୋଟର ଗିରଫ କରିଥିଲେ। ଜୋସେଲାୟନ୍ଙ୍କୁ ୬ ମାସ କାରାଦଣ୍ଡାଦେଶ ହୋଇଥିଲା। ଏବେ ଜୋସେଲାୟନ୍ଙ୍କ ମାନବିକତା ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।