ଦୁଇବର୍ଷ ତଳୁ ନିଖୋଜ ଥିଲେ ମହିଳା: ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର, ପରେ ଏମିତି ବଖାଣିଲେ ଜୀବନ କାହାଣୀ

ବୋଗୋଟା,୩୦ା୯: ଦୁଇବର୍ଷ ତଳେ ନିଖୋଜ ଥିବା କଲମ୍ବିଆର ଜଣେ ମହିଳାଙ୍କୁ ସମୁଦ୍ରରୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସମୁଦ୍ରରେ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ ଏହି ମହିଳାଙ୍କୁ ଉଦ୍ଧାର କରିଛନ୍ତି। ଏହି ମହିଳାଙ୍କୁ ୪୬ ବର୍ଷୀୟ ରୋନାଲ୍ଡ ବିସ୍‌ବଲ ଏବଂ ତାଙ୍କ ବନ୍ଧୁ ଶନିବାର ସକାଳେ ପୂର୍ବ କଲମ୍ବିଆର ସମୁଦ୍ରକୂଳରୁ ଦୁଇ କିଲୋମିଟର ଦୂରରୁ ଉଦ୍ଧାର କରିଛନ୍ତି। ଉଦ୍ଧାର ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏହି ଭିଡିଓକୁ ବିସ୍‌ବଲ ତାଙ୍କ ଫେସ୍‌ବୁକ୍‌ରେ ଶେୟାର କରିଛନ୍ତି। ଏଥିରେ ଦେଖିବାକୁ ମିଳିଛି କେହି ଜଣେ ପାଣି ଭିତରୁ ହାତ ଉଠାଇ ସାହାଯ୍ୟ ମାଗୁଛନ୍ତି। ପରେ ବିସ୍‌ବଲ ଏବଂ ତାଙ୍କ ବନ୍ଧୁମାନେ ଲଞ୍ଚକୁ ପାଖକୁ ନେଇ ତାଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ସମୟରେ ମହିଳା ଜଣକ କହୁଥାନ୍ତି, ମୁଁ ପୁନର୍ଜନ୍ମ ପାଇଲି। ଭଗବାନ ଚାହୁଁ ନ ଥିଲେ ମଁୁ ମରେ ବୋଲି। ପରେ ମତ୍ସଜୀବୀମାନେ ତାଙ୍କ ପରିଚୟ ମାଗିବାରୁ ସେ ଆଞ୍ଜେଲିକା ଗ୍ୟାଟନ ବୋଲି କହିଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେ ବହୁତ ଥକ୍କା ଏବଂ ହାଇପୋଥର୍ମିଆରେ ପୀଡ଼ିତ ଥିଲେ। ସୁସ୍ଥ ହେବା ପରେ ଆଞ୍ଜେଲିକା ତାଙ୍କ ଜୀବନ କାହାଣୀ ବର୍ଣ୍ଣନା କରିଛନ୍ତି।
ସେ କହିଛନ୍ତି, ୨୦୧୮ରେ ତାଙ୍କ ସ୍ବାମୀ ତାଙ୍କୁ ଜୀବନରୁ ମାରି ଦେବାକୁ ଚାହୁଁଥିଲେ। ସ୍ବାମୀଙ୍କ ଦୁର୍ବ୍ୟବହାର ତାଙ୍କ ପ୍ରତି ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ, ସେ ବାଧ୍ୟ ହୋଇ ଘର ଛାଡ଼ି ଚାଲିଆସିଥିଲେ। ଏପରିକି ସେ ୬ ମାସ ପର୍ଯ୍ୟନ୍ତ ରାସ୍ତାକଡ଼ରେ ବିତାଇଥିଲେ। ଏହା ପରେ ଯାଇ ଦୀର୍ଘଦିନ ଏକ ସେଲଟରରେ ରହିଥିଲେ। ତାଙ୍କୁ ବାପଘର ପକ୍ଷରୁ ମଧ୍ୟ କୌଣସି ସାହାଯ୍ୟ ସହଯୋଗ ମିଳି ନ ଥିଲା। ତେଣୁ ସେ ଜୀବନ ହାରି ଦେବାକୁ ନିଷ୍ପତ୍ତି ନେଇ ସମୁଦ୍ର ମଧ୍ୟକୁ ଡେଇଁଥିଲେ। ପୋଲିସ ସୂତ୍ରରୁ ଖବର ପାଇ ଆଞ୍ଜେଲିକାଙ୍କ ଝିଅ ଆଲେଜେଣ୍ଡ୍ରା ପହଞ୍ଚି ମା’ଙ୍କୁ ଚିହ୍ନିଥିଲେ। ସେ ଏବେ ମା’ଙ୍କୁ ରାଜଧାନୀ ବୋଗୋଟା ନେବା ପାଇଁ ଅର୍ଥ ଯୋଗାଡ଼ କରୁଛନ୍ତି।

Share