ବୈତରଣୀରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ

ଆନନ୍ଦପୁର,୧୩।୭(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ନଦୀରୁ ଗୁରୁବାର ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଉଦ୍ଧାର କରିଛି। ବ୍ୟାରେଜ ନିକଟ ଘାସ ବୁଦା ମୂଳରେ ରହିଥିବା ମୃତଦେହକୁ ଆନନ୍ଦପୁର ପୋଲିସ ଏବଂ ଅଗ୍ନିଶମ ବିଭାଗ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ତେବେ ମହିଳାଙ୍କ ପରିଚୟ ମିଳି ନ ଥିବା ବେଳେ କେଉଁ ପରିସ୍ଥିତିରେ ମୃତଦେହ ନଦୀକୁ ଆସିଲା ଏହାର ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।

ସୂଚନାଯୋଗ୍ୟ ୫ ଦିନ ତଳେ ସ୍ଥାନୀୟ କେତେକ ଯୁବକ ବ୍ୟାରେଜ ନିକଟରେ ଏକ ମୃତଦେହ ପାଣିରେ ଭାସୁଥିବା ଦେଖିଥିବା ଆଲୋଚନା ପରିସରକୁ ଆସିଥିଲା। ହେଲେ ବୁଧବାର ମୃତଦେହ ନଦୀରେ ଭାସୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ହେଲେ ସନ୍ଧ୍ୟା ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ହୋଇପାରି ନ ଥିଲା। ଗୁରୁବାର ପୂର୍ବାହ୍ନରେ ଆନନ୍ଦପୁର ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।