ମହିଳାଙ୍କ ମୃତ୍ୟୁ, ଯୌତୁକଜନିତ ହତ୍ୟା ଅଭିଯୋଗ

ଆସିକା,୧୦ା୨(ଡି.ଏନ.ଏ.)-ଆସିକା ଥାନା ଅନ୍ତର୍ଗତ ଅସୁରାଇପଲ୍ଲୀ ଗ୍ରାମରେ ଗୁରୁବାର ରାତିରେ ଜଣେ ଅନ୍ତଃସତ୍ତ୍ୱା ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସେହି ଗ୍ରାମର ମଙ୍ଗୁଳୁ ନାୟକଙ୍କ ସ୍ତ୍ରୀ ପାବନୀ ଓରଫ ରୀନା ନାୟକ (୨୪)।ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିଲା ବେଳେ ଶୁକ୍ରବାର ରୀନାଙ୍କ ଭାଇ ବାରିକ ଭଉଣୀଙ୍କୁ ଯୌତୁକ ଜନିତ ହତ୍ୟା କରାଯାଇଥିବା ଆସିକା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତି କରି ନଂ.୧୧୩/୨୩ରେ ମାମଲା ରୁଜୁ କରିଛି। ମୃତଦେହ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ କରାଯାଇ ବ୍ୟବଚ୍ଛେଦ ଲାଗି ବ୍ରହ୍ମପୁର ବଡମେଡିକାଲ ଏଫ୍‌.ଏମ.ଟି ବିଭାଗକୁ ପଠାଯାଇଛି। ଏହି ମାମଲାରେ ପୋଲିସ ମୃତ ମହିଳାଙ୍କ ସ୍ବାମୀ, ଶାଶୁ ଓ ଶ୍ୱଶୁରଙ୍କୁ ଅଟକ ରଖି ତଦନ୍ତି ଚଳାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି। ଅଭିଯୋଗରୁ ପ୍ରକାଶ, ଗଞ୍ଜାମ ଜିଲା ତାରସିଙ୍ଗି ଥାନା ତିଳିସିଙ୍ଗି ଗ୍ରାମର ବାରିକ ନାୟକଙ୍କ ଭଉଣୀ ପାବନୀଙ୍କ ଗତ ଦୁଇବର୍ଷ ତଳେ ଅସୁରାଇପଲ୍ଲୀ ଗ୍ରାମରେ ଅଭିମନ୍ୟୁ ନାୟକଙ୍କ ବଡ ପୁଅ ମଙ୍ଗୁଳୁଙ୍କ ସହ ବିବାହ ହୋଇଥିଲା। ବିବାହ ସମୟରେ ପାବନୀଙ୍କ ପରିବାର ପକ୍ଷରୁ ଗୋଟିଏ ବାଇକ, ମୁଦି ଏବଂ ଅନ୍ୟାନ୍ୟ ଆସବାବପତ୍ର ଦିଆଯାଇଥିଲା। ତେବେ ବିବାହ ପରେ ପରେ ପାବନୀଙ୍କୁ ଶାଶୁ, ଶ୍ୱଶୁର ଓ ସ୍ବାମୀ ଅଧିକ ଯୌତୁକ ଆଣିବା ଲାଗି ରୀତିମତ ନିର୍ଯାତନା ଦେଇ ଆସୁଥିଲେ ା ଗୁରୁବାର ରାତିରେ ମହିଳା ଜଣକ ତାଙ୍କ ପରିବାରକୁ ତୁରନ୍ତ ଆସି ତାଙ୍କୁ ଏଠାରୁ ନେଇଯିବା ଲାଗି ଆକୁଳ ନିବେଦନ କରିଥିଲା ବେଳେ ନ ହେଲେ ଶାଶୁ ଘର ଲୋକେ ମାରିଦେବେ ବୋଲି ଜଣାଇଥିଲେ। ପରେ ରାତ୍ର ପ୍ରାୟ ୧୨ଟାରେ ମହିଳାଙ୍କ ଶାଶୁ ଘର ପକ୍ଷରୁ ବାପଘରକୁ ପାବନୀଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏଭଳି ସ୍ଥିତିରେ ମୃତ ମହିଳାଙ୍କ ଭାଇ ଏହା ଏକ ଯୌତୁକ ଜନିତ ହତ୍ୟା ଆଶଙ୍କା କରି ତଦନ୍ତ ଲାଗି ପୋଲିସରେ କରିଥିବା ଅଭିଯୋଗରୁ ପ୍ରକାଶ।