ଦନ୍ତା ଆକ୍ରମଣରେ ମହିଳାଙ୍କ ଗୋଡ଼ ଦୁଇଖଣ୍ଡ

ସାତମାଇଲ, ୨୦।୧୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ଡରେ ହାତୀ-ମଣିଷ ସଂଘର୍ଷରେ ଲାଗୁନାହିଁ ଅଙ୍କୁଶ। ଶୌଚ ହେବାକୁ ଯାଇଥିବାବେଳେ ହିଂସ୍ର ଦନ୍ତା କଚାଡ଼ି ଦେବାରୁ ନୂଆବଗ ପଞ୍ଚାୟତ ସରାସିଂହ ଗ୍ରାମର ଚନ୍ଦ୍ରଶେଖର ଦେହୁରୀଙ୍କ ଝିଅ ଜାହାଜ ଦେହୁରୀ (୫୧)ଙ୍କ ଡାହାଣ ଗୋଡ଼ ଦୁଇଖଣ୍ଡ ହୋଇଯାଇଛି। ବାମଗୋଡ଼ ମଧ୍ୟ ଭାଙ୍ଗିଯାଇଛି। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅଞ୍ଚଳରେ ହାତୀ ଆତଙ୍କ ଥମୁନାହିଁ। ବାରମ୍ବାର ଏଭଳି ଘଟଣା ଘଟୁଛି। ଏହାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା।
ଜାହାଜ ଦୀର୍ଘଦିନ ହେଲା ତାଙ୍କ ବାପଘରେ ରହୁଛନ୍ତି। ଶନିବାର ସକାଳେ ସେ ଘର ନିକଟ ପଡ଼ିଆକୁ ଶୌଚ ହେବାକୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଉକ୍ତ ଦନ୍ତାହାତୀଟି ତାଙ୍କୁ ଦଳିଦେବା ସହ ଶୁଣ୍ଢରେ ଟେକିନେଇ ଫିଙ୍ଗି ଦେଇଥିଲା। ସ୍ଥାନୀୟ ବାସିନ୍ଦା ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଉଦ୍‌ବେଗଜନକ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୀଡ଼ିତା ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରି ଗ୍ରାମବାସୀ ହିନ୍ଦୋଳ-ଗୁଡିଆକାଟେଣୀର ପାଞ୍ଚମାଇଲ ରାସ୍ତା ଅବରୋଧ କରିଥିଲେ। ଗ୍ରାମବାସୀଙ୍କ କହିବା କଥା, ହିନ୍ଦୋଳ ବନାଞ୍ଚଳରେ ବହୁ ସଂଖ୍ୟାରେ ହାତୀ ଚଳପ୍ରଚଳ କରୁଛନ୍ତି। ସେମାନଙ୍କ ଉପଦ୍ରବରେ ବ୍ୟାପକ ଧନଜୀବନ ହାନି ହେବାରେ ଲାଗିଛି। ଚାଷ କ୍ଷତିଗ୍ରସ୍ତ ହେଉଛି। ଏ ଦିଗରେ ବନ ବିଭାଗ କିମ୍ବା ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ। ଏହାର ପ୍ରତିକାର ନ ହେଲେ ଜୋର୍‌ଦାର ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଘଟଣାସ୍ଥଳରେ ତହସିଲଦାର ସୁଶାନ୍ତ ମିଶ୍ର, ଥାନାଧିକାରିଣୀ ଚାରୁଲତା ବେହେରା, ବନ କର୍ମଚାରୀ ପହଞ୍ଚତ୍ ବୁଝାଶୁଝା କରିଥିଲେ। ବନ ବିଭାଗ ଏବଂ ପ୍ରଶାସନ ପକ୍ଷରୁ ମହିଳାଙ୍କ ଚିକିତ୍ସା ଲାଗି ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା।

Share