ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ପୁଣି ଅଘଟଣ: କିରୋସିନ ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର ଅଫିସ,୨।୧୨: କୋର୍ଟ ପରିସର ଏବେ ଅସୁରକ୍ଷିତ ହୋଇପଡିଛି। ସପ୍ତାହ ମଧ୍ୟରେ କୋର୍ଟରେ ଦୁଇ ଦୁଇଟି ଅଘଟଣ ଘଟିଛି। ଶୁକ୍ରବାର ଜଣେ ମହିଳା କୋର୍ଟ ଭିତରକୁ ଯାଇ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେଠାରେ ମୁତୟନ ଥିବା ପୋଲିସ ମହିଳାଙ୍କୁ କାବୁ କରି ବୈଦ୍ୟନାଥପୁର ଥାନାକୁ ହସ୍ତାନ୍ତର କରିଛି। ମହିଳାଙ୍କ ପରିଚୟ ପୋଲିସ କହୁ ନ ଥିବା ବେଳେ ଘଟଣାର ଅନୁସନ୍ଧାନ ଚାଲିଥିବା କହିଛି।

ପ୍ରକାଶ ଥାଉ କି, ଗତ ୨୮ ତାରିଖରେ ଭଗବାନ ସାହୁ ନାମକ ଜଣେ ବ୍ୟକ୍ତି ହାତରେ ଛୁରି ଧରି ଏସଡିଜେଏମ୍‌ଙ୍କ କୋର୍ଟ ଭିତରେ ପଶିଥିଲେ। ଅଭିଯୁକ୍ତ ଜଣଙ୍କ ଏକ ଛୁରିରେ ଏସଡିଜେଏମ୍‌ ପ୍ରଜ୍ଞାପରମିତା ପ୍ରତିହାରୀଙ୍କ ବେକରେ ଛୁରି ଲଗାଇ ଆକ୍ରମଣ ଉଦ୍ୟମ କରୁଥିବା ବେଳେ କୋର୍ଟରେ କାର୍ଯ୍ୟରତ କର୍ମଚାରୀ ତାଙ୍କୁ କାବୁ କରିଥିଲେ। ଘଟଣା ପରେ ବ୍ରହ୍ମପୁର କୋର୍ଟରେ ମାଜିଷ୍ଟ୍ରେଟଙ୍କ ସୁରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଥିଲା। ଏହା ସତ୍ତ୍ୱେ ମଧ୍ୟ ଜଣେ ମହିଳା ଶୁକ୍ରବାର ପୂର୍ବାହ୍ନରେ କିରୋସିନ ବୋତଲ ଧରି କୋର୍ଟ ପରିସରରେ ଆତ୍ମହତ୍ୟା କରିବା ଘଟଣା ପୁଣି ବ୍ରହ୍ମପୁରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। କୋର୍ଟ ପରିସର ଅସୁରକ୍ଷିତ ହୋଇପଡିଥିବା ନେଇ ଆଇନଜୀବୀମାନେ ଆଲୋଚନା କରୁଛନ୍ତି। ପ୍ରାଥମିକ ଅନୁସନ୍ଧାନରୁ ମହିଳା ଜଣଙ୍କ ଏକ ଘରୋଇ ହିଂସାର ଶିକାର ହୋଇଥିଲେ। ତାଙ୍କର ମାମଲା ବିଚାରାଧୀନ ରହିଥିବା ଜଣାପଡିଛି। ତ୍ୱରିତ ନ୍ୟାୟ ନ ମିଳିବାରୁ ସେ କୋର୍ଟ ପରିସରରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି।

Share