ବାସୁଦେବପୁର,୨୪।୪ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ କିସ୍ମତକୃଷ୍ଣପୁର ଗ୍ରାମର ତପସ୍ବିନୀ ସାହୁ ନାମ୍ନୀ ମହିଳାଙ୍କର ଗତ ବୁଧବାର ରାତିରେ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ସ୍ବାମୀ ସଞ୍ଜୀବ ରାଉତ ତପସ୍ବିନୀଙ୍କ ମୃତଦେହକୁ ଡାକ୍ତରଖାନାରେ ଛାଡ଼ି ଫେରାର ହୋଇଯାଇଥିଲେ। ୩ ଦିନ ପରେ ଶନିବାର ସେ ବାସୁଦେବପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି। ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତପସ୍ବିନୀଙ୍କ ମୃତ୍ୟୁର ରହସ୍ୟ ପଦାକୁ ଆସିବ ବୋଲି ଆଇଆଇସି ଅମିତ୍ କୁମାର ଭୁୟଁା କହିଛନ୍ତି। ଅଧିକ ଯୌତୁକ ପାଇଁ ଓ ଭିଣୋଇ ସଞ୍ଜୀବଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମସମ୍ପର୍କ ଥିବାରୁ ତାଙ୍କ ଭଉଣୀଙ୍କୁ ହତ୍ୟା କରାଯାଇଥିବା ମୃତ ତପସ୍ବିନୀଙ୍କ ଭାଇ ବିଶ୍ୱନାଥ ସାହୁ ବାସୁଦେବପୁର ଥାନାରେ ଅଭିଯୋଗ କରିଥିଲେ। ଏନେଇ ଥାନାରେ ବଧୂହତ୍ୟା ମାମଲା (ନଂ.୧୬୬/୨୨) ରୁଜୁ କରାଯାଇଛି।